ନୂଆଦିଲ୍ଲୀ,୨୨।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଦୀ ଆରବରେ ଏକ ଐତିହାସିକ ଓ ସ୍ୱତନ୍ତ୍ର ସ୍ୱାଗତ କରାଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବିଶେଷ ବିମାନ ‘ଏୟାର ଇଣ୍ଡିଆ ୱାନ’ ସାଉଦି ଆରବର ବାୟୁସୀମାରେ ପ୍ରବେଶ କରିବା ମାତ୍ରେ ରୟାଲ ସାଉଦୀ ଏୟାର ଫୋର୍ସର ଏଫ-୧୫ ଯୁଦ୍ଧ ବିମାନମାନେ ଏହାକୁ ଜେଦ୍ଦା ବିମାନବନ୍ଦର ପର୍ଯ୍ୟନ୍ତ ଏସ୍କର୍ଟ କରିଥିଲେ। ଏହି ସ୍ୱାଗତ ଭାରତ ଓ ସାଉଦୀ ଆରବ ମଧ୍ୟରେ ଗଭୀର ଦ୍ୱିପାକ୍ଷିକ ସମ୍ପର୍କ ଓ ରକ୍ଷା ସହଯୋଗିତାର ଏକ ପ୍ରତୀକ ଭାବେ ଦେଖାଯାଉଛି।
ପ୍ରଧାନମନ୍ତ୍ରୀ ମୋଦି ସାଉଦୀ ଆରବର କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଜେଦ୍ଦା ପହଞ୍ଚିଛନ୍ତି। ଏହା ତାଙ୍କର ତୃତୀୟ ସାଉଦୀ ଗସ୍ତ ଏବଂ ଜେଦ୍ଦାକୁ ପ୍ରଥମ ଗସ୍ତ ଅଟେ, ଯାହା ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜେଦ୍ଦା ଗସ୍ତ ହୋଇଛି।
🇮🇳-🇸🇦 friendship flying high!
As a special gesture for the State Visit of PM @narendramodi, his aircraft was escorted by the Royal Saudi Air Force as it entered the Saudi airspace. pic.twitter.com/ad8F9XGmDL
— Randhir Jaiswal (@MEAIndia) April 22, 2025
ଜେଦ୍ଦା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ସମ୍ମାନ ସହ ମକ୍କାର ଡେପୁଟି ଗଭର୍ନର ଏଚଆରଏଚ ପ୍ରିନ୍ସ ସାଉଦ ବିନ ମିଶାଲ ବିନ ଅବଦୁଲାଜିଜ ଅଲ ସାଉଦଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଏହି ମନୋରମ ଦୃଶ୍ୟର ଏକ ଭିଡିଓ ପ୍ରକାଶ କରି କହିଛି, “ଭାରତ-ସାଉଦୀ ମୈତ୍ରୀ ଉଚ୍ଚାକାଶରେ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗସ୍ତ ପାଇଁ ଏକ ସ୍ୱତନ୍ତ୍ର ଅଭିନନ୍ଦନ ଭାବେ ସାଉଦୀ ବାୟୁସୀମାରେ ତାଙ୍କ ବିମାନକୁ ରୟାଲ ସାଉଦି ଏୟାର ଫୋର୍ସ ଏସ୍କର୍ଟ କରିଥିଲା।”
Landed in Jeddah, Saudi Arabia. This visit will strengthen the friendship between India and Saudi Arabia. Eager to take part in the various programmes today and tomorrow. pic.twitter.com/Y1HNt9J4nG
— Narendra Modi (@narendramodi) April 22, 2025
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଭାରତ-ସାଉଦୀ ଆରବ ଷ୍ଟ୍ରାଟେଜିକ ପାର୍ଟନରଶିପ କାଉନସିଲର ଦ୍ୱିତୀୟ ନେତା ସମ୍ମିଳନୀରେ ମିଳିତ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ, ରକ୍ଷା, ଶକ୍ତି, ବାଣିଜ୍ୟ, ବିନିଯୋଗ ଏବଂ ସାଂସ୍କୃତିକ ସହଯୋଗିତାକୁ ଆହୁରି ମଜବୁତ କରିବା ପାଇଁ ଅନ୍ୟୂନ ୬ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦି ଜେଦ୍ଦାରେ ପ୍ରବାସୀ ଭାରତୀୟ ସହ ମଧ୍ୟ ମିଳିତ ହେବେ, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପରିକ ନୃତ୍ୟ ଓ ‘ସାରେ ଜହାଁ ସେ ଅଚ୍ଛା’ ଗୀତ ଗାଇ ଉତ୍ସାହିତ ଥିଲେ। ଜେଦ୍ଦାର ଗୁଡ ହୋପ ଆର୍ଟସ ଏକାଡେମୀର ସଦସ୍ୟ ପୁଷ୍ପା ସୁରେଶ କହିଛନ୍ତି, “ଆମ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଆମ ପାଇଁ ଏକ ବଡ଼ ଦିନ। ଆମେ ପାରମ୍ପରିକ ନୃତ୍ୟରେ ତାଙ୍କୁ ଅଭିନନ୍ଦନ ଜଣାଇବୁ।”
ଜେଦ୍ଦା ଭାରତ ଓ ସାଉଦୀ ଆରବ ମଧ୍ୟରେ ଶତାବ୍ଦୀ ପୁରୁଣା ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କର ଏକ ପ୍ରମୁଖ କେନ୍ଦ୍ର ରହିଆସିଛି। ଏହା ମକ୍କାର ନିକଟବର୍ତ୍ତୀ ହୋଇଥିବାରୁ ହଜ ଓ ଉମରା ତୀର୍ଥଯାତ୍ରା ପାଇଁ ଆସୁଥିବା ଭାରତୀୟ ମୁସଲମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ହଜ କୋଟା ବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ଆଶା କରାଯାଉଛି।
ଆରବ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବକୁ “ଭାରତର ଅତ୍ୟନ୍ତ ମୂଲ୍ୟବାନ ଅଂଶୀଦାର, ସାମୁଦ୍ରିକ ପଡୋଶୀ, ବିଶ୍ୱସ୍ତ ବନ୍ଧୁ ଏବଂ ସାଉଦୀ ସହଯୋଗୀ” ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ଭାରତ ଓ ସାଉଦୀ ଆରବ ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସମ୍ପର୍କର ସମ୍ଭାବନା ଅସୀମିତ।”
ଏହି ସ୍ୱାଗତ ଓ ଗସ୍ତ ଦୁଇ ଦେଶ ମଧ୍ୟରେ ବଢୁଥିବା ରଣନୈତିକ ଏବଂ ସାଂସ୍କୃତିକ ବନ୍ଧନକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।


