ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍ ଡକେଟ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଅତ୍ୟଧିକ ମଦ୍ୟପାନ କରି ନିଜ ହୋଟେଲକୁ ଫେରିବାର ରାସ୍ତା ପାଉନଥିବା ପରି ମନେହେଉଛି।
ଦ୍ୱିତୀୟ ଏବଂ ତୃତୀୟ ଆଶେସ୍ ଟେଷ୍ଟ ମଧ୍ୟରେ ମିଳିଥିବା ବିରତି ସମୟରେ ଖେଳାଳିମାନଙ୍କୁ ‘ରିଫ୍ରେଶ୍’ କରିବା ପାଇଁ ହେଡ୍ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମ୍ ସନସାଇନ୍ କୋଷ୍ଟର ନୋସା ସହରକୁ ଏକ ଟ୍ରିପ୍ରେ ପଠାଇଥିଲେ।
What is this behaviour from Ben Duckett😭😭. He was completely out of his mind after drinking a lot. Disappointing Attitude. We need to be serious. pic.twitter.com/KVsCbv73jX
— Aryan Goel (@Aryan42832Goel) December 23, 2025
ଏହି ଘଟଣା ସାମ୍ନାକୁ ଆସିବା ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଖେଳାଳିଙ୍କ ଆଚରଣକୁ ନେଇ ତଦନ୍ତ ଆରମ୍ଭ କରିଛି। ECB ମ୍ୟାନେଜିଂ ଡାଇରେକ୍ଟର ରବ୍ କି କହିଛନ୍ତି ଯେ, ଜଣେ ଆନ୍ତର୍ଜାତୀୟ କ୍ରିକେଟରଙ୍କଠାରୁ ଅତ୍ୟଧିକ ମଦ୍ୟପାନ ଗ୍ରହଣୀୟ ନୁହେଁ। ବୋର୍ଡ ପକ୍ଷରୁ ଜାରି ବୟାନରେ କୁହାଯାଇଛି, “ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବିଷୟରେ ଜାଣିଛୁ। ଖେଳାଳିଙ୍କ ଆଚରଣକୁ ନେଇ ଆମର ଉଚ୍ଚ ମାପଦଣ୍ଡ ରହିଛି। ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି, ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ଅନ୍ୟପଟେ, ରବ୍ କି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଶୁଣିଥିବା ତଥ୍ୟ ଅନୁଯାୟୀ, ଅଧିକାଂଶ ଖେଳାଳିଙ୍କ ଆଚରଣ ଭଲ ଥିଲା। କେବଳ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏହି ତଦନ୍ତ କରାଯାଉଛି।


