Categories: ଖେଳ

‘ହାର୍ଦ୍ଦିକଙ୍କ ଠାରୁ ଆଗରେ ଅଛନ୍ତି ଭେଙ୍କଟଶ’

ନୂଆଦିଲ୍ଲୀ,୨୨।୨: ନିକଟରେ ଶେଷ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଭେଙ୍କଟଶ ଆୟାରଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର। ଏପରିକି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲରାଉଣ୍ଡର ହାର୍ଦ୍ଦିକଙ୍କ ଠାରୁ ଆଗରେ ଥିବା ସେ କହିଛନ୍ତି।

ଅନ୍ତିମ ଟି୨୦ରେ ଭେଙ୍କଟଶ ୧୯ ବଲରେ ୩୫ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ୨୭ ବର୍ଷୀୟ କ୍ରିକେଟର ପୂରା ସିରିଜ୍‌ରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ୯୨ ରନ୍‌ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ଦୁଇଟି ଉଇକେଟ ନେଇଥିଲେ।

“ ମୋ ମତରେ ଆୟର ଏବେ ଆଗରେ ଅଛନ୍ତି। କାରଣ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବୋଲିଂ କରୁଛନ୍ତି କି ନାହିଁ, ତାହା ଜଣାନାହିଁ। ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବ। କିନ୍ତୁ ବର୍ତ୍ତମାନ ଭେଙ୍କଟଶ ଆଗରେ ଅଛନ୍ତି। ୬ ନଂରେ ତାଙ୍କ ଖେଳ ଦେଖି ମୁଁ ଚକିତ। ଆମେ ତାଙ୍କୁ ଓପନର ଭାବେ ବ୍ୟାଟିଂ କରିଥିବା ଦେଖିଛୁ। କିନ୍ତୁ ୬ ନଂରେ ବ୍ୟାଟିଂ କରି ମ୍ୟାଚ୍‌ ଫିନିଶିଂ କରିବାର ତାଙ୍କର ଦକ୍ଷତା ପ୍ରଶଂସନୀୟ” ବୋଲି ଜାଫର କହିଛନ୍ତି। ଆୟାରଙ୍କ ପ୍ରଦର୍ଶନରେ ଖୁସି ପ୍ରକଟ କରିଛନ୍ତି ଭାରତୀୟ ଦଳର କୋଚ୍‌ ରାହୁଲ ଡ୍ରାଭିଡ୍‌।

Share