Categories: ବାଣିଜ୍ୟ

ଯାନ ପଞ୍ଜୀକରଣ ୯.୬୬% କମିଲା

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଯାନ ପଞ୍ଜୀକରଣ ୯.୬୬% ହ୍ରାସ ହୋଇଛି। ଡିସେମ୍ବରରେ ଏଥିରେ ଉନ୍ନତି ଆସିଥିଲା। ଟ୍ରାକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଯାନ ବିକ୍ରି ନକାରାତ୍ମକ ରହିଛି। ୨ ଚକିଆ, ୩ ଚକିଆ, ବାଣିଜି୍ୟକ ଯାନ ଏବଂ ପାସେଞ୍ଜର ଯାନ ବିକ୍ରି ଯଥାକ୍ରମେ ୮.୭୮%, ୫୧.୩୧%, ୨୫% ଏବଂ ୪.୪୬% ନିମ୍ନରେ ରହିଛି। ଟ୍ରାକ୍ଟର ବିକ୍ରି ଧାରା ଅବ୍ୟାହତ ରହିଛି। ଜାନୁୟାରୀରେ ଏଥିରେ ୧୧.୧୪% ବୃଦ୍ଧି ହୋଇଛି। ଚାହିଦା ହ୍ରାସ, ସେମି କଣ୍ଡକ୍ଟର ଅଭାବ, ମୂଲ୍ୟ ବୃଦ୍ଧି ଏବଂ ପାର୍ବଣ ସମୟ ନ ଥିବାରୁ ଏହା ଯାନ ବିକ୍ରି ଉପରେ ପ୍ରଭାବ ପକାଇଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍ସ (ଫାଡା) ପକ୍ଷରୁ ସୂଚନା ରହିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିବା ସ୍କ୍ରାପେଜ ନୀତି ଅଟୋମୋବାଇଲ ଶିଳ୍ପର ଉନ୍ନତୀକରଣ ଦିଗରେ ସହାୟକ ହେବ। ଭିତ୍ତିଭୂମି ପ୍ରକଳ୍ପ ଯଥା- ସଡ଼କ ଏବଂ ପରିବହନ ବ୍ୟବସ୍ଥାରେ ଖର୍ଚ୍ଚ ଯୋଗୁ ବାଣିଜି୍ୟକ ଯାନ ବିକ୍ରି ଆଗାମୀ ଦିନରେ ବେଶ୍‌ ଉନ୍ନତ ରହିବ ବୋଲି ସଂଘ ପକ୍ଷରୁ ଆଶା କରାଯାଉଛି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି, ୨ ଚକିଆ ଯାନ ମୂଲ୍ୟ ବଢିବା ଯୋଗୁ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରଗୁଡିକୁ ପ୍ରଭାବିତ କରିବ। ବିଏସ୍‌-୬ ଏବଂ ଅନ୍ୟ କାରଣ ଯୋଗୁ ବାଣିଜି୍ୟକ ଯାନ ପଞ୍ଜୀକରଣ ନିମ୍ନରେ ରହିଥିବା ଗୁଲାଟି ମତ ରଖିଛନ୍ତି।

Share