Categories: ଫୁରସତ

ଶାକାହାରୀ କୁମ୍ଭୀର

କୁମ୍ଭୀର ଏକ ମାଂସାହାରୀ ପ୍ରାଣୀ ବୋଲି ସମସ୍ତେ ଜାଣନ୍ତି। ତା’ର ତୀକ୍ଷ୍ଣ ଧାରୁଆ ଦାନ୍ତରୁ କେହି ବର୍ତ୍ତି ପାରନ୍ତି ନାହିଁ। ଏମିତିରେ ଆମେ ଯଦି କହିବୁ ଯେ, ଏମିତି ଏକ କୁମ୍ଭୀର ଅଛି ଯେକି ସମ୍ପୂର୍ଣ୍ଣଭାବେ ଶାକାହାରୀ। ତେବେ କେହି ବିଶ୍ୱାସ କରିବେ ନାହିଁ। କିନ୍ତୁ ପ୍ରକୃତରେ ଏମିତି ଏକ କୁମ୍ଭୀର କେରଳ କାସରଗୋଡ ଜିଲାରେ ଥିବା ଅନନ୍ତପୁର ମନ୍ଦିର ଅଛି, ଯାହାର ନାମ ହେଉଛି ‘ବବିୟା’। ଉକ୍ତ ମନ୍ଦିର ଏକ ହ୍ରଦର ମଝିରେ ଅଛି। ଆଉ ଏହି ହ୍ରଦରେ ରହେ ବବିୟା। ଦେଖିବାକୁ ଭୟଙ୍କର, ହେଲେ ସେ ଆଜିପର୍ଯ୍ୟନ୍ତ କାହାକୁ କ୍ଷତି ପହଞ୍ଚାଇ ନାହିଁ। ମନ୍ଦିରର ଜଗୁଆଳୀ ଭାବେ ଦୀର୍ଘ ୬୦ ବର୍ଷ ଧରି ବବିୟା ଏହି ହ୍ରଦରେ ଅଛି। ହ୍ରଦରେ ଅନେକ ମାଛ ଅଛନ୍ତି, ଆଶ୍ଚର୍ଯ୍ୟର କଥା ସେମାନଙ୍କର ବି କୌଣସି କ୍ଷତି କରି ନ ଥାଏ ବବିୟା। ସେ କେବଳ ମନ୍ଦିରରେ ଭୋଗ ଲଗାଯାଉଥିବା ଚାଉଳ ଓ ଗୁଡର ପ୍ରସାଦ ଖାଇଥାଏ। ମନ୍ଦିରର ପୂଜାରୀ ତାକୁ ନିଜ ହାତରେ ଖୁଆଇ ଥାନ୍ତି। କାରଣ ବବିୟା ତଳେ ରଖାଯାଇଥିବା ପ୍ରସାଦ ଖାଇ ନ ଥାଏ। ଏହି ଦୃଶ୍ୟ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହି ନ ଥାଏ। ମନ୍ଦିରର କର୍ମଚାରୀ କୁହନ୍ତି, ପୂଜକଙ୍କ ସହିତ କୁମ୍ଭିର ବବିୟାର ନିବିଡ ସମ୍ପର୍କ ରହିଛି। ପୂଜକ ଡାକିବା ମାତ୍ରେ ବବିୟା ଚାଲିଆସେ। ଏଠାରେ ମାନ୍ୟତା ରହିଛି ଯେ, ଯେଉଁ ଭକ୍ତ ଏହି କୁମ୍ଭୀରର ଦର୍ଶନ ପାଆନ୍ତି ସେମାନେ ବହୁତ ଭାଗ୍ୟଶାଳୀ। ଆଉ ପୂଜାରୀ କହନ୍ତି, ଏହି ହ୍ରଦରେ ଥରକରେ ଗୋଟିଏ କୁମ୍ଭୀର ରହିଥାଏ। ସେହି କୁମ୍ଭୀରର ମୃତ୍ୟୁପରେ ରହସ୍ୟମୟଭାବେ ଆପେ ଆଉ ଏକ କୁମ୍ଭୀର ଆସିଯାଏ।

Share