କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଛତ୍ରପୁର,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ଅଞ୍ଚଳରେ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କାର୍ତ୍ତିକ ମାସ ସାଙ୍ଗକୁ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା କାରଣରୁ ଜିଲାରେ ପରିବା ଚାଷ ବିଶେଷ ପ୍ରଭାବିତ ହୋଇଛି। ଯାହାର ସିଧାସଳଖ ପ୍ରଭାବ ପରିବା ବଜାର ଉପରେ ପଡିଛି। ଅନ୍ୟପକ୍ଷରେ ଏଥିପ୍ରତି ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁ ନ ଥିବା ଜଣାପଡିଛି। କେବଳ ଆଳୁ ଓ ପିଆଜକୁ ଛାଡିଦେଲେ ଆଉ ସବୁ ପରିବା କେଜି ପ୍ରତି ଦର ୫୦ ପାର୍‌ କରିଛି। ଏହା ତଳକୁ କୌଣସି ପରିବା ମିଳୁ ନ ଥିବାରୁ ସାଧାରଣ ପରିବାର ହନ୍ତସନ୍ତ ହେଉଛନ୍ତି। ଜିଲାରେ ବାଇଗଣ ୫୦ରୁ ୬୦ ଟଙ୍କା ରହିଥିବା ବେଳେ ଟମାଟୋ ୫୦ଟଙ୍କା, କୋବି ୮୦ ଟଙ୍କା, ଭେଣ୍ଡି ୫୦ରୁ ୬୦ ଟଙ୍କା ରହିଛି ା ଅନ୍ୟ ପରିବା ଦର ୧୦୦ଉପରେ ଥିବାରୁ ଦୋକାନୀକୁ କିଲୋ ପ୍ରତି ଦର ପଚାରିଲେ ସେମାନେ ୨୫୦ ଗ୍ରାମର ଦର କହୁଛନ୍ତି। ଜିଲାକୁ ବାହାରୁ ପନିପରିବା ଆସୁ ନ ଥିବାରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି। ବଜାରରେ ପରିବା କିମ୍ବା ମାଛର ଦର ତାଲିକା ଝୁଲାଯାଉନି। ମାର୍କେଟିଂ ଇନ୍ସପେକ୍ଟର କିମ୍ବା କୌଣସି ଯୋଗାଣ ଅଧିକାରୀଙ୍କ ଦେଖାମିଳୁ ନ ଥିବା ଛତ୍ରପୁରର ଖାଉଟି ରାଜେନ୍ଦ୍ର ଦାଶ କହିଛନ୍ତି। ଲଗାଣ ବର୍ଷା ଯୋଗୁ ପରିବା ଚାଷ ନଷ୍ଟ ହୋଇଯାଇଛି। ବାହାରୁ ପରିବା ଆସୁନି ଏବଂ ଦର ବଢିଛି ବୋଲି ଚାଷୀ ତଥା ପରିବା ବ୍ୟବସାୟୀ ଶ୍ରୀକର ନାହାକ କହିଛନ୍ତି।