ଗଞ୍ଜାମ ସହରରେ ପନିପରିବା ଦର ଆକାଶଛୁଆଁ,ଗରିବ ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ ): ଗତ କିଛିଦିନ ହେବ ଗଞ୍ଜାମ ସହରରେ ପନିପରିବା ଦର ବୃଦ୍ଧି ହେବାରେ ଲାଗିଛି । ଅଦିନରେ ଏଭଳି ନିତ୍ୟ ଅପରିହାର୍ଯ୍ୟ ଜିନିଷର ଦରବୃଦ୍ଧି ଗରିବ ଖଟିଖିଆ ଜନସାଧାରଣ ମୁଣ୍ଡରେ ଚଡ଼କ ପଡିଛି । ବର୍ତ୍ତମାନ ଟମାଟ କିଲୋ ପିଛା ୧୦୦ଟପିଥିବା ବେଳେ ପୋଟଳ, କାଙ୍କଡ଼, ମୁନିକା ଓ ଫୁଲକୋବି କିଲୋ ୮୦ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଇଗଣ, ଭେଣ୍ଡି ୫୦ ଟଙ୍କା, କୁନ୍ଦୁରି, ଭେଣ୍ଡି ଆଦି ଦର ମଧ୍ୟ ଅହେତୁକ ବୃଦ୍ଧି ଘଟିଛି । ଏପରିକି କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବଡ ବଜାର ପରିବା ବ୍ୟବସାୟୀ ବଳିଆ ପଲାଇ । ଗଞ୍ଜାମ ବ୍ଲକ ଅଞ୍ଚଳରେ ଶୀତଳ ଭଣ୍ଡାରଟିଏ ନାହିଁ। ଆଗକୁ ଶ୍ରାବଣ ମାସ ଥିବା ବେଳେ ଦର ଆହୁରି ବଢିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ତିନିଶହ ଟଙ୍କାର ପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତ୍ତିି ହେଉନାହିଁ ବୋଲି ପୂର୍ଣଚନ୍ଦ୍ର ପଲାଇ ଗଣମାଧ୍ୟମକୁ କହିଛନ୍ତି ।