ପରିବା ଦର ଆକାଶଛୁଆଁ

କେନ୍ଦୁଝର, ୨୮ା୯(ଡି.ଏନ.ଏ.)- କେନ୍ଦୁଝର ପରି ଏକ କୃଷିଭିତ୍ତିକ ଜିଲାରେ ଏବେ ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡିଛି। ଲୋକେ ପରିବା କିଣିବାକୁ ଗଲାବେଳେ ଏହାର ଦର ଶୁଣି ମୁଣ୍ଡରେ ହାତ ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହି ଦରକୁ ନିୟନ୍ତ୍ରଣ କରିବା ପାଇଁ କାହାରି ଅଙ୍କୁଶ ରହୁ ନ ଥିବାରୁ ଲୋକମାନଙ୍କର ଦୁର୍ଦ୍ଦଶା ଚରମସୀମାରେ ପହଞ୍ଚିଛି।
ଗତବର୍ଷ ଏହି ସମୟରେ ବିଲାତି କେଜି ୨୦ଟଙ୍କାରୁ ୩୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଏବେ ବିଲାତି କେଜି ୮୦ ରୁ ୧୦୦ ଟଙ୍କା କେଜି ପ୍ରତି ବିକ୍ରି ହେଉଛି। ବାଇଗଣ ୪୦ରୁ ୫୦ଟଙ୍କା, କଲରା ୭୦ଟଙ୍କା, ବନ୍ଧାକୋବି ୮୦ଟଙ୍କା, ଫୁଲକୋବିର ଦର ୮୦ଟଙ୍କା, କାକୁଡି ୪୦ଟଙ୍କା, ମଟର ଛୁଇଁ ୮୦ଟଙ୍କା, ପୋଇ ୨୦ଟଙ୍କା, ବୋଇତାଳୁ ୩୦ଟଙ୍କା, ସାରୁ ୫୦ଟଙ୍କା, ଝୁଡଙ୍ଗ ୮୦ଟଙ୍କା, ଶିମ୍ବ ୫୦ଟଙ୍କାରେ ବିକ୍ରି ହେଉଛି। ସେହିପରି କାପ୍‌ସିକମ୍‌,ବିନସ୍‌,ଗାଜର ଓ ଲଙ୍କା ଦର ସାଧାରଣ ଖାଉଟିଙ୍କର ପକେଟକୁ ସୁହାଉନାହିଁ। କେତେକ ଚାଷୀ ଲଗାଣ ବର୍ଷାରେ ପରିବା ଦର ଏପରି ହୋଇଛି ବୋଲି ମତବ୍ୟକ୍ତ କରୁଥିବାବେଳେ ବାସ୍ତବରେ ବ୍ୟବସାୟୀମାନେ ମନଇଛା ଦର ବଢାଇବାକୁ ନିଷ୍ପତ୍ତି ନେଉଥିବା ପରିଲକ୍ଷିତ ହେଉଛି। କେନ୍ଦୁଝରର ସହରତଳି ଅଞ୍ଚଳମାନଙ୍କରେ ବିଶେଷ କରି ରାଇସୁଆଁ, ମହାଦେଇଯୋଡ଼ା, ଧାତିକା, ପାଟଣା ବ୍ଲକର ଭଅଁରପୁର, ବାଉଁଶୂଳୀ, ଚିଲିଦା, ରେଙ୍ଗାଳବେଡା, ସଦର ବ୍ଲକର ଶଙ୍କରପୁର, ମଇଦାନକେଲ,ମଥୁରାମଣ୍ଡଳୀ ଆଦି ଅଞ୍ଚଳରେ ବିପୁଳ ପରିମାଣର ପରିବା ଚାଷ ହେଉଥିଲେ ମଧ୍ୟ କେନ୍ଦୁଝର ସହରରେ ଏପରି ଦରବୃଦ୍ଧି ଖାଉଟିମାନଙ୍କୁ ଅଡୁଆରେ ପକାଇଛି। କେବଳ ସେତିକି ନୁହେଁ ନିକଟସ୍ଥ ଗ୍ରାମାଞ୍ଚଳ ହାଟମାନଙ୍କରେ ପରିବା ଦର ନାହିଁ ନ ଥିବା ବୃଦ୍ଧି ପାଇଛି। ଖାଉଟି ବଜାରର ଏହି ଶୋଚନୀୟ ଅବସ୍ଥା ପାଇଁ କାହାକୁ ଦାୟୀ କରାଯିବ ତାହା ଏବେ ଚିନ୍ତାର କାରଣ ହୋଇଥିବାବେଳେ ଜିଲା ପ୍ରଶାସନ, ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଖାଉଟିମାନେ ଦାବି କରିଛନ୍ତି।