ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା ଯୋଜନାରେ ପାଇପ ଯୋଗେ ଜଳଯୋଗାଣ ବନ୍ଦ ରହିଥିବାରୁ ଶହ ଶହ ଲୋକ ଜଳକଷ୍ଟରେ ଛଟପଟ ହେଉଛନ୍ତି। ଗୋଟିଏ ପଟେ ବିଦ୍ୟୁତ ବିଭାଗ ଓ ଜଳଯୋଗାଣ ବିଭାଗ ମଧ୍ୟରେ ଦୋଷାରୋପ, ଅନ୍ୟପଟେ ପଞ୍ଚାୟତର ବକେୟା ବିଲ୍କୁ ନେଇ ଅଚଳାବସ୍ଥା ଲାଗି ରହିଛି। ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ।
ସରକାରଙ୍କ ‘ହର ଘର ଜଳ’ ଓ ‘ବସୁଧା’ ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଉପରେ ଥୁଆମୂଳ ରାମପୁର ସଦର ମହକୁମାର ଅନେକ ପରିବାର ନିର୍ଭର କରୁଥିଲେ। କିନ୍ତୁ ଗତ ୧୦ ଦିନ ଧରି ଜଳଯୋଗାଣ ବନ୍ଦ ରହିବାରୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତାଲବନ୍ଧ ପଡ଼ା, ତଳପଡ଼ା, ଜାମଝୋଲ ପଡ଼ା, ବସ୍ତି ଅଞ୍ଚଳର କିଛି ଭାଗ, ତହସିଲ ପଡ଼ା, ଜଗନ୍ନାଥ କଲୋନି ଓ ସ୍କୁଲ ପଡ଼ାର ବାସିନ୍ଦା ଏହି ସମସ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି। ପାଇପ୍ରେ ପାଣି ଆସୁନଥିବାରୁ ଲୋକେ ଏବେ ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତାଲବନ୍ଧ ପଡ଼ା, ତଳପଡ଼ା ଓ ଜାମଝୋଲ ପଡ଼ାର ୪୦ରୁ ଅଧିକ ପରିବାର ପାଇଁ ମାତ୍ର ଦୁଇଟି ନଳକୂପ ଥିବାରୁ ପାଣି ସଂଗ୍ରହ କରିବାକୁ ପ୍ରବଳ ଭିଡ଼ ହେଉଛି। ମହିଳାମାନେ ବାଲ୍ଟି, ଡେକ୍ଚି ଓ ଗରା ଧରି ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେଉଛନ୍ତି।
ପାଣି ସଂଗ୍ରହରେ ବିଳମ୍ବ ଯୋଗୁ ଛାତ୍ରୀଛାତ୍ରୀମାନେ ଠିକ ସମୟରେ ସ୍କୁଲ୍ରେ ପହଞ୍ଚିବାରେ ଅସୁବିଧା ଭୋଗୁଛନ୍ତି। ସେହିପରି ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ସମେତ ଦିନମଜୁରିଆମାନେ ମଧ୍ୟ କର୍ମକ୍ଷେତ୍ରକୁ ଯିବାରେ ସମସ୍ୟାର ସାମ୍ନା କରୁଛନ୍ତି। ସ୍ନାନ, ଶୌଚ, ରୋଷେଇ, ବାସନ ଓ ଲୁଗା ସଫା ଭଳି ଦୈନନ୍ଦିନ କାର୍ଯ୍ୟ ପାଇଁ ପାଣି ଯୋଗାଡ଼ କରିବା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ପୋଖରୀର ପଙ୍କୋଦ୍ଧାର ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସତ୍ତ୍ୱେ ଏଗୁଡ଼ିକ ଏବେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରିନଥିବା ଅଭିଯୋଗ ହୋଇଛି। ପୋଖରୀର ପାଣି ଦୂଷିତ ରହିଥିବାରୁ ଚର୍ମରୋଗ ହେବା ଆଶଙ୍କାରେ ଲୋକେ ସେଠାରେ ଗାଧୋଇବା କିମ୍ବା ଲୁଗାପଟା ସଫା କରିବାକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫଳରେ ପାଇପ ଜଳଯୋଗାଣ ବନ୍ଦ ହେବା ପରେ ଲୋକଙ୍କ ପାଖରେ ସୀମିତ ବିକଳ୍ପ ରହିଛି।
ପାଇପ ଜଳଯୋଗାଣ ବନ୍ଦ ରହିବାର କାରଣ ସମ୍ପର୍କରେ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ପଚରାଯିବାରୁ ସେ କହିଛନ୍ତି, ପମ୍ପ ହାଉସ୍ର ବିଦ୍ୟୁତ ଫ୍ୟୁଜ ଜଳିଯାଇଛି। ଏହାକୁ ମରାମତି କରିବା ପାଇଁ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କେହି ଆସୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ସୁଭଜିତ୍ ଜେନା କହିଛନ୍ତି, ପଞ୍ଚାୟତ ପକ୍ଷରୁ ପାଣି ବିଲ ବକେୟା ରହିଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଫ୍ୟୁଜ ଲଗାଯାଉନାହିଁ। ବକେୟା ବିଲ ପରିଶୋଧ ହେଲେ ହିଁ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରାଯିବ ବୋଲି ସେ କହିଛନ୍ତି।
ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ମୁକେଶ କୁମାର ପଟେଲଙ୍କ କହିବା ଅନୁଯାୟୀ, ପଞ୍ଚାୟତ ପକ୍ଷରୁ ବକେୟା ଅର୍ଥର ଅଧା ବିଲ ପରିଶୋଧ କରିବାକୁ ବ୍ୟବସ୍ଥା କରାଯାଉଛି। ବ୍ଲକ ସଦର ମହକୁମାରେ ଏଭଳି ଜଳ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ବିଡିଓଙ୍କ ନିରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପାଇପ ଜଳଯୋଗାଣ ସୱାଭାବିକ କରିବା ସହ ତାଲବନ୍ଧ ପଡ଼ା ଓ ଜାମଝୋଲ ପଡ଼ା ଅଞ୍ଚଳରେ ଏକ ନୂତନ ନଳକୂପ ଖନନ କରିବାକୁ ସ୍ଥାନୀୟ ସଚେତନ ଯୁବକମାନେ ଦାବି କରିଛନ୍ତି।
ସରକାରୀ ଯୋଜନାରେ ପାଇପ ଜଳଯୋଗାଣ ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକେ ୧୦ ଦିନ ଧରି ପାଣି ପାଇଁ ହଇରାଣ ହେବା ଘଟଣା ପ୍ରଶାସନିକ ତତ୍ପରତା ଉପରେ ପ୍ରଶ୍ନ ଉଠାଇଛି। ଏବେ ଜଳଯୋଗାଣ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କେବେ ପଦକ୍ଷେପ ନେଉଛନ୍ତି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।