ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନକୁ ନେଇ ଆପତ୍ତି ଉଠାଇଲେ ବର୍ଷା

କଟକ ଅଫିସ, ୨୦ା୧୨:ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ସୋମବାର ପରିବାର ଅଦାଲତରେ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା କୋର୍ଟରେ ହାଜର ହେବା ପରେ ତାଙ୍କର ସାକ୍ଷ୍ୟ ଗ୍ରହଣ ହୋଇଥିଲା। ତେବେ ସାକ୍ଷ୍ୟଗ୍ରହଣ ସମୟରେ ଅନୁଭବଙ୍କ ଓକିଲ ପଚାରିଥିବା କେତେକ ପ୍ରଶ୍ନ ଉପରେ ବର୍ଷା ଆପତ୍ତି ଉଠାଇଥିଲେ। ଯଦ୍ଦ୍ବାରା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ରହିଛି। ମଙ୍ଗଳବାର ପୁଣି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଡିସେମ୍ବର ୧୯ ତାରିଖକୁ ଧାର୍ଯ୍ୟ ହୋଇଥିଲା। ତଦନୁଯାୟୀ ବର୍ଷା ସୋମବାର ଅଦାଲତରେ ହାଜର ହୋଇଥିଲେ। ଅନୁଭବଙ୍କ ଓକିଲ ଗୀତା ଲୁଥାର ବର୍ଷାଙ୍କୁ ଇଂଲିଶ ଭାଷାରେ ପ୍ରଶ୍ନ ପଚାରିଥିବାବେଳେ ବର୍ଷା ଓଡ଼ିଆରେ ଉତ୍ତର ଦେଇଥିଲେ। ତେବେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ନେଇ ବର୍ଷାଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ ବୋଲି କୋର୍ଟଙ୍କୁ ସେ ଅବଗତ କରିଥିଲେ। ବର୍ଷା ସାକ୍ଷ୍ୟ ଗ୍ରହଣ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି। ଅନ୍ୟ ପକ୍ଷରେ ଅନୁଭବଙ୍କ ଓକିଲ ଲୁଥାର କହିଛନ୍ତି, ବର୍ଷା ସେପ୍ଟେମ୍ବର ୮ରେ ପାରିବାରିକ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। ନିର୍ଦ୍ଦେଶ ଅନୁସାରେ ଅନୁଭବ ହାଜର ହୋଇଥିଲେ ମଧ୍ୟ ବର୍ଷା ହାଜର ହୋଇ ନ ଥିଲେ। ଫଳରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରି ନ ଥିଲା। ନିଜ ପକ୍ଷ ରଖିବାକୁ ବର୍ଷା ଅଦାଲତଙ୍କୁ ସମୟ ମାଗିଥିଲେ। ସେହି ଅନୁଯାୟୀ ବର୍ଷା ପାରିବାରିକ ଅଦାଲତରେ ସୋମବାର ହାଜର ହୋଇଥିଲେ। ତେବେ ତାଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ଥିବାରୁ ସେ ପୁଣି ଅଦାଲତରେ ମଙ୍ଗଳବାର ହାଜର ହେବେ। ଅନୁଭବଙ୍କ ଓକିଲ ଲୁଥାର ଦିଲ୍ଲୀରୁ ଆସିଥିବାରୁ ସେ ଓଡ଼ିଆ ବୁଝିପାରୁନାହାନ୍ତି, ତେଣୁ ତାଙ୍କ ପାଇଁ ଜେରା ସମୟରେ ଜଣେ ଇଣ୍ଟରପ୍ରିଟର ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି।