Categories: ଫୁରସତ

ଶଡ଼େଇରେ ତିଆରି କଳାକୃତି: ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଆଁ…

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୁଣି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ବି ମିଳିପାରୁଛି। ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା, ମହୋତ୍ସବରେ କାରିଗରମାନେ ସେମାନଙ୍କ ହସ୍ତକଳା ପସରା ଖୋଲିଥାନ୍ତି। ହାତ ତିଆରି କଳାକୃତିଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ଏଥିମଧ୍ୟରେ ମାଟି, ଗୋବର, ଲୁହା, ପିତଳ, କାଠ, ବାଉଁଶ, ବେତ, ଝୋଟ, ତାଳପତ୍ର, କପଡ଼ା, ନଡ଼ିଆକତା ଓ ନଡ଼ିଆ ଶଡ଼େଇରେ ତିଆରି କେତେକ ଘରକରଣା, ସୌଖୀନ ସାଜସଜ୍ଜା ସାମଗ୍ରୀ ବି ରହିଥାଏ। ମାତ୍ର ନଡ଼ିଆ ଶଡ଼େଇରେ ସୁନ୍ଦର ସୁନ୍ଦର କଳାକୃତିର କଥା ଅଲଗା। ଏହାକୁ ତିଆରି କରୁଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ ଗାଁର ଦେବୀପ୍ରସନ୍ନ ମହାନ୍ତି କୁହନ୍ତି, ମୁଁ ମାଟ୍ରିକ ଯାଏ ପଢ଼ିଛି। ସ୍କୁଲ ବୟସରେ ଗାଁରେ ବୁଲାବୁଲି କରୁଥିବା ବେଳେ ଅଧିକାଂଶ ସମୟ ଗୁଆଗଛରୁ ଗୁଆକୁ ଝଡ଼ାଇ ଘରକୁ ଆଣି ଗୋଟାଗୁଆକୁ ବୋଉକୁ ଦେଉଥିଲି। ଥରେ ଏକ ଗୁଆକୁ ଝଡ଼ାଇ ଆଣିଲା ପରେ ଅନ୍ୟମନସ୍କଭାବେ ସେଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ କଳାକୃତି ତିଆରି କରିଥିଲି। ଏପରି କଳାକୃତିକୁ ସେତେବେଳେ ବୋଉକୁ ଦେଖାଇଥିଲି। ଏଥିରେ ସେ ଖୁବ୍‌ ଖୁସି ହୋଇଯାଇଥିଲା। ମୁଁ ବହୁତ ଉତ୍ସାହିତ ହୋଇଯାଇଥିଲି। ଆଉ ଗୁଆରେ ଯେ ମହାପ୍ରଭୁଙ୍କ କଳାକୃତି ତିଆରି ହୋଇପାରୁଛି ଏଥିପାଇଁ ଅଧିକ ପରିମାଣରେ ଗୁଆ ସଂଗ୍ରହକରି ସେଥିରେ ବିଭିନ୍ନ କଳାକୃତି ତିଆରି କରିଥିଲି। ଥରେ ଭାବିଲି ଗୁଆରେ ଯଦି ହୋଇପାରୁଛି ନଡ଼ିଆ ଶଡ଼େଇରେ ତ କଳାକୃତି ହୋଇପାରିବ। ଏମିତି ପରିକଳ୍ପନାକରି ଘରୁ କେତୋଟି ନଡ଼ିଆ ଶଡ଼େଇକୁ ନେଇ ସେଥିରେ କେତୋଟି କପ୍‌, ଫୁଲଦାନୀ, ଚଢ଼େଇବସା ତିଆରି କରିଥିଲି। ସମସ୍ତେ ଏସବୁକୁ ଦେଖି ବହୁତ ପ୍ରଶଂସା କଲେ। ସେବେଠାରୁ ଆଉ ପଛକୁ ଫେରିନାହିଁ। ଆଜକୁ ପ୍ରାୟ ୨୦ବର୍ଷ ଧରି ନଡ଼ିଆ ଶଡ଼େଇରେ ଏମିତି ବିଭିନ୍ନ ପ୍ରକାରର କଳାକୃତି ତିଆରି କରି ଆସୁଛି। ପ୍ରତିଦିନ ଘରର କାମସାରି ବଳକା ସମୟରେ ନଡ଼ିଆ ଶଡ଼େଇ ସଂଗ୍ରହ କରିଥାଏ। ଏଥିରେ ତିଆରି କଳାକୃତିଗୁଡ଼ିକୁ ଘରେ ସାଇତି ରଖିଥାଏ। ଏଥିରେ କୌଣସି କଳାକୃତି ତିଆରି କରିବା ପୂର୍ବରୁ ପ୍ରଥମେ ନଡ଼ିଆ ଶଡ଼େଇକୁ ସାଇଜକରି ପଲିସ କରିଥାଏ। ତା’ ପରେ ଶଡ଼େଇ ଉପରେ ବିଭିନ୍ନ କଳାକୃତିକୁ ଅଙ୍କନ କରେ। ଏମିତିକି ଶଡ଼େଇରେ କପ୍‌, ପାଣିଜଗ୍‌, ମଗ, କାନଫୁଲ, ପ୍ରଜାପତି, ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଶୁଆସାରୀ, ଜଗନ୍ନାଥଙ୍କ କଳାକୃତି, କେତେକ ଜୀବଜନ୍ତୁଙ୍କ ଆକୃତି ଅଙ୍କନ କରିଥାଏ। ଶଡ଼େଇରେ କେତେକ ପ୍ରକାର ଚିତ୍ରକରି ସେଥିରେ ରଙ୍ଗ ଦେଇଥାଏ। ଗୋଟିଏ ଗୋଟିଏ ଶଡ଼େଇ କଳାକୃତିର ମୂଲ୍ୟ ୪୦ଟଙ୍କାରୁ ଆରମ୍ଭକରି ପ୍ରାୟ ୨ହଜାର ଟଙ୍କା ଯାଏ ରହିଛି। ଏହିସବୁ କଳାକୃତିକୁ ବିଭିନ୍ନ ମେଳା ମହୋତ୍ସବକୁ ବିକ୍ରିକରିବା ପାଇଁ ନେଇଥାଏ। ଏଥିପାଇଁ କେତେକ ଅନୁଷ୍ଠାନରୁ ମଧ୍ୟ ପୁରସ୍କୃତ ହୋଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଆଦିବାସୀ ମେଳା, ଶିଶିର ସରସ ସମେତ ବିଭିନ୍ନ ମେଳା ଓ ମହୋତ୍ସବରେ ଷ୍ଟଲ୍‌ ଖୋଲି ନଡ଼ିଆ ଶଡ଼େଇରେ ତିଆରି ବିଭିନ୍ନ ଖେଳନା ପ୍ରାୟ ୩୦ଟଙ୍କାରୁ ଆରମ୍ଭକରି ୨ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରିଥାଉ। ନଡ଼ିଆ ଶଡ଼େଇରେ ତିଆରି ବିଭିନ୍ନ କଳାକୃତି ଆମ ରାଜ୍ୟର ହସ୍ତକଳା କାରିଗରି ସମୃଦ୍ଧିରେ ସହାୟକ ହୋଇଥାଏ। -ବନବିହାରୀ

Share