ସତ୍ୟବାଦୀ ବ୍ଲକ ଅଫିସରେ ଭଙ୍ଗାରୁଜା: ଭାଜପା କର୍ମୀଙ୍କ ବିରୋଧରେ ଅଭିଯୋଗ

ସାକ୍ଷୀଗୋପାଳ,୧୩।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ) : ସତ୍ୟବାଦୀ ବ୍ଲକରେ ଦୁଇ ପ୍ରମୁଖ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ବୁଧବାର ଦିନ ଶତାଧିକ ଭାଜପା କର୍ମୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡାଙ୍କ ଅନୁପସ୍ଥିତ ରହୁଥିବା ବେଳେ କାର୍ଯ୍ୟାଳୟ କବାଟ ଭାଙ୍ଗି ସହ ଅଫିସ ଭିତରୁ ଚେୟାର ଟେବୁଲ୍, କମ୍ପ୍ୟୁଟର, ପ୍ରିଣ୍ଟର, ସରାକାରୀ କାଗଜପତ୍ର ବାହରକୁ ଫିଙ୍ଗା ଯାଇଥିବା ଦେଖାଯାଇଛି ।

ଏନେଇ ଅଧ୍ୟକ୍ଷ ସୁନୀଲ ପଣ୍ଡା ଓ ବିଡ଼ିଓ ଦେବାଶିଷ ନାୟକ ସତ୍ୟବାଦୀ ଥାନାରେ ପୃଥକ ପୃଥକ ଭାବେ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ଆଇଆଇସି ସ୍ୟୈମ୍ୟରଞ୍ଜନ ମହାଳିକ ଏହି ଅଭାବନୀୟ ଘଟଣାରେ ୪ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ସିସିଟିଭି ଆଧାରରେ ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି । ଖବରପାଇ ପିପିଲି ଏସଡିପିଓ ଦେବାଶିଷ ମିଶ୍ରଙ୍କ ସହିତ ଉଚ୍ଚ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡା ଉପସ୍ଥିତ ରହିଛନ୍ତି ।

ଅନ୍ୟପକ୍ଷରେ ବିଜେଡ଼ିର ପୂର୍ବତନ ସତ୍ୟବାଦୀ ବିଧାୟକ ତଥା ପୁରୀ ଜିଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ, ସଞ୍ଜୟ ଦାସବର୍ମା, ରୁଦ୍ର ମହାରଥୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା ପ୍ରମୁଖ ଶତାଧିକ କର୍ମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି । ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Share