Categories: ମେଟ୍ରୋ

ଫିକା ପଡ଼ିଲା ପ୍ରେମ ଦିବସ

ଭୁବନେଶ୍ୱର, ୧୫ା୨ (ବ୍ୟୁରୋ): ସମୟ ଗଡ଼ିବା ସହ ବଦଳୁଛି ପ୍ରେମର ପରିଭାଷା। ବଦଳିଛି ପ୍ରେମର ସଂଜ୍ଞା, ଆଉ ପ୍ରେମର ଧାରା। ଫଳସୂରୂପ ମଙ୍ଗଳବାର ପ୍ରେମ ସପ୍ତାହର ନିଆରା ଦିନ ଭାଲେନଣ୍ଟାଇନ୍‌ ଡେ’ ମଧ୍ୟ ରାଜଧାନୀରେ ଫିକା ପଡିଯାଇଛି। ଭୁବନେଶ୍ୱରର ପାର୍କ, ମଲ୍‌, ହୋଟେଲ, ମନ୍ଦିରରେ ପ୍ରେମୀ ଯୁଗଳଙ୍କ ସେପରି ଉପସ୍ଥିତି ନ ଥିବାବେଳେ ପ୍ରେମ ଦିବସ ପାଇଁ ହୋଇଥିବା ସ୍ବତନ୍ତ୍ର ଆୟୋଜନ ମଧ୍ୟ ଜାକଜମକ ନ ଥିଲା। ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଓ ଏକାମ୍ର ପାଖରେ ଅନ୍ୟଦିନରେ ପ୍ରେମୀଯୁଗଳଙ୍କ ସମାଗମ ଲାଗି ରହୁଥିବାବେଳେ ପ୍ରେମ ଦିବସରେ ସେପରି କିଛି ନିଆରା ନ ଥିଲା। ସେହିପରି ବଡ଼ବଡ଼ ହୋଟେ, ରାସ୍ତାପାର୍ଶ୍ୱରେ ଥିବା ରେସ୍ତୋଁରା ବେଲୁନ୍‌ ଓ ବିଭିନ୍ନ ଆକର୍ଷଣୀୟ ଜିନିଷରେ ସଜା ହୋଇଥିଲେ ମଧ୍ୟ ଫାଙ୍କା ଫାଙ୍କା ଲାଗୁଥିଲା। ଖରା ପାଇଁ ପ୍ରେମୀ ଯୁଗଳ ବାହାରକୁ ବାହାରି ନ ଥିବାବେଳେ ବିଗତ ଦିନରେ ଘଟୁଥିବା ବିରୋଧକୁ ଡରି ପାର୍କକୁ ମଧ୍ୟ ଅଧିକାଂଶ ଯିବାକୁ ଇଚ୍ଛା ପ୍ରକାଶ କରି ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ପ୍ରେମିକାପ୍ରେମିକଙ୍କ ସବୁଦିନିଆ ମିଳାମିଶା ଏପରି ଏକ ନିଆରା ତଥା ସ୍ବତନ୍ତ୍ର ଦିନକୁ ଫିକା କରିଦେଉଥିବା କୁହାଯାଉଛି।