Categories: Home Leftଖେଳ

ଗମ୍ଭୀରଙ୍କ ଉପରେ ବର୍ଷିଲେ ବୈଭବଙ୍କ ପିଲାଦନ କୋଚ! ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନ ମିଳିବାରୁ ଝାଡିଲେ ଅସନ୍ତୋଷ

ନୂଆଦିଲ୍ଲୀ,୧୪।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇନାହାନ୍ତି ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ରାଞ୍ଚିରେ ତାଙ୍କୁ ଖେଳାଯାଇପାରେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା। ଭାରତ ସେହି ମ୍ୟାଚ ହାରିଥିଲେ ମଧ୍ୟ ତୃତୀୟ ମ୍ୟାଚରେ ବୈଭବଙ୍କୁ ଦଳରେ ସାମିଲ କରାଯାଇନଥିଲା। ତେବେ ତୃତୀୟ ମ୍ୟାଚ ଜିତି ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି।

ଏଭଳି ସ୍ଥିତିରେ ଆଜି ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ରେ ମଧ୍ୟ ବୈଭବଙ୍କୁ ସୁଯୋଗ ମିଳିବା କଷ୍ଟକର ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ବୈଭବଙ୍କ ବାଲ୍ୟକାଳର କୋଚ ମନୀଷ ଓଝା ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏକ ଗଣମାଧ୍ୟମ ୱେବସାଇଟ ସହ ଆଲୋଚନା ବେଳେ ବୈଭବଙ୍କ ବାଲ୍ୟକାଳର କୋଚ ମନୀଷ ଓଝା କହିଛନ୍ତି ଯେ, ବୈଭବଙ୍କୁ ବାରମ୍ବାର ପ୍ଲେଇଂ ଇଲେଭେନ୍‌ରୁ ବାହାରେ ରଖିବା ଦ୍ୱାରା ତାଙ୍କ ମନୋବଳ ଦୁର୍ବଳ ହୋଇପାରେ। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିବା ଏହି ଯୁବ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ମ୍ୟାଚରେ ମଧ୍ୟ ଖେଳିବାର ସୁଯୋଗ ନ ମିଳିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମନୀଷ କହିଛନ୍ତି ଯେ, ବୈଭବଙ୍କୁ ପ୍ରତ୍ୟେକ ମ୍ୟାଚରେ ଖେଳାଇବାକୁ ସେ ଦାବି କରୁନାହାନ୍ତି। କିନ୍ତୁ ଅତି କମରେ ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ଦିଆଯାଇପାରିଥାନ୍ତା।

ସେ ଆହୁରି କହିଛନ୍ତି ଯେ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଖେଳାଳି ବୟସ ଦୃଷ୍ଟିରୁ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ବେଳେ ନୂଆ ପିଢ଼ିର ଖେଳାଳିଙ୍କୁ ପ୍ରସ୍ତୁତ କରିବାର ସମୟ କେବେ ଆସିବ?

ମନୀଷ ଓଝାଙ୍କ ମତରେ, ୧୪-୧୫ ବର୍ଷ ବୟସର ଖେଳାଳିଙ୍କୁ କେବଳ ବେଞ୍ଚ୍‌ରେ ବସାଇ ରଖି କିମ୍ବା ପଡ଼ିଆରେ ପାଣି ବୋହିବାକୁ ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଇପାରିବ ନାହିଁ। ସେମାନଙ୍କୁ ଖେଳିବାର ସୁଯୋଗ ନ ମିଳିଲେ ମନୋବଳ ହ୍ରାସ ପାଇପାରେ।

ସେ ଉଲ୍ଲେଖ କରିଛନ୍ତି ଯେ, ବୈଭବ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଜିମ୍ବାୱେ ଗସ୍ତରେ ମଧ୍ୟ ସିରିଜରେ ଶ୍ରେଷ୍ଠ ଖେଳାଳି (ପ୍ଲେୟର ଅଫ ଦ ସିରିଜ) ଭାବେ ମନୋନୀତ ହୋଇଥିଲେ। ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ ନ କରାଯିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

 

Dharitri – Odisha’s No.1 Odia Daily

Share