କରୋନା ଟିକା ନେଲେ ଜିଲାପାଳ, ଏସ୍‌ପି

କେନ୍ଦୁଝର,୬।୨(ସ୍ବ.ପ୍ର.): ବିଶ୍ୱ ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗ ଧାଡ଼ିିର କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଶନିବାର ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜିଲାପାଳ ଆଶିଷ ଠାକ୍‌ରେ ଏବଂ ଏସ୍‌ପି ମିତ୍ରଭାନୁ ମହାପାତ୍ର ଟିକା ନେଇ ଆଗ ଧାଡ଼ିର କୋଭିଡ୍‌ ଯୋଦ୍ଧା ଭାବେ ଲଢେଇ କରୁଥିବା ସରକାରୀ ଅଧିକାରୀ/କର୍ମଚାରୀ ତଥା ସ୍ବାସ୍ଥ୍ୟସେବା ସହିତ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କର ମନୋବଳ ବଢାଇଛନ୍ତି।

ଟିକା ନେବା ପରେ ଜିଲାପାଳ ଖବରଦାତାମାନଙ୍କୁ ସୂଚନା ଦେଇ କହିଥିଲେ ଯେ, କୋଭିଡ୍‌ ଟିକା ନିରାପଦ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନେକ ପରୀକ୍ଷାନିରୀକ୍ଷା ପରେ କୋଭିଡ୍‌ ଟିକା ନିରାପଦ ବୋଲି ପ୍ରମାଣିତ ହୋଇସାରିଛି। ଏଣୁ ପଞ୍ଜୀକୃତ ହୋଇଥିବା କୋଭିଡ୍‌ ଯୋଦ୍ଧାମାନେ ନିର୍ଭୟରେ ଟିକା ନେଇ ଅନ୍ୟମାନଙ୍କର ଆତ୍ମବିଶ୍ୱାସ ବଢାନ୍ତୁ ବୋଲି ଅନୁରୋଧ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝି, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ , ପୋଲିସ୍‌ ରିଜର୍ଭଠାରେ ଏସ୍‌ପି, ନଗର ଭବନଠାରେ ପୌରପାଳିକାର ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ ଟିକା ନେଇଛନ୍ତି।