ଉତ୍ତରପ୍ରଦେଶରେ କରୋନା ରୋଗୀଙ୍କୁ ମିଳିବ ହୋମ ଆଇସୋଲେଶନ ସୁବିଧା: ମାନିବାକୁ ପଡ଼ିବ ଏହି ସବୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଧିଷ୍ଟ ପ୍ରୋଟୋକଲର ସର୍ତ୍ତାବଳୀ ସହିତ କରୋନା ରୋଗୀଙ୍କୁ ହୋମ ଆଇସୋଲେଶନ୍‌ ପାଇଁ ରାଜ୍ୟ ସରକାର ଅନୁମତି ଦେବେ। ବିନା ଲକ୍ଷଣ ଥିବା କରୋନା ରୋଗୀଙ୍କୁ ହୋମ ଆଇସୋଲେଶନରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେବା ସହ ସୋମବାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ରୋଗୀ ଏବଂ ତାଙ୍କ ପରିବାର ହୋମ ଆଇସୋଲେଶନର ସମସ୍ତ ପ୍ରୋଟୋକଲ ପାଳନ କରିବା ବାଧ୍ୟତାମୂଳକ। କାରଣ କରୋନାର ଲକ୍ଷଣ ନ ଥିବା ବହୁ ସଂଖ୍ୟକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବାକୁ ଇଛା ପ୍ରକାଶ କରୁ ନ ଥିବା ବେଳେ ଏହି ରୋଗକୁ ଲୁଚାଉଛନ୍ତି, ଯାହା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଆହୁରି ବଢ଼ାଇଦେଇଛି। ଅନ୍ୟପଟେ କୋଭିଡ କେୟାର ହସ୍ପିଟାଲରେ ଶର୍ଯ୍ୟା ସବୁ ପୂର୍ଣ୍ଣ ହୋଇଯାଇଥିବାରୁ ଯୋଗୀ ଆଦିତ୍ୟନାଥ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅପରପକ୍ଷେ କୋଭିଡ-୧୯ କାରଣରୁ ମୃତ୍ୟୁ ହାର ହ୍ରାସ କରିବାକୁ ସ୍ବାସ୍ଥ୍ୟ ବିଭାଗ ଏବଂ ଚିକିତ୍ସା ଶିକ୍ଷା ବିଭାଗ ଉଚିତ୍‌ ପଦକ୍ଷେପ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଯାଇ କଣ୍ଟାକ୍ଟ ଟ୍ରେସିଂ କରିବାକୁ କହିଛନ୍ତି।

Share