ଭୁବନେଶ୍ୱର,୨୮।୨: ଶେଷ ଯାତ୍ରାରେ ଉତ୍ତମ ମହାନ୍ତି। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶଶ୍ମାନ ଅଭିମୁଖେ ନିଆଯାଉଛି ପାର୍ଥିବ । ଏହି ସମୟରେ ତାଙ୍କ ବୋହୂ ତୃପ୍ତି କୋକେଇ ଉଠିବା ପରେ ଗୋବର ପାଣି ପକାଇ ଝାଡ଼ୁ କଲେ କରିଛନ୍ତି । ତାଙ୍କ ସାଙ୍ଗରେ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ।
ଅନ୍ୟପଟେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜଗନ୍ନାଥ ବିହାର ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଜଣାଇ ଉତ୍ତମଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନା ଯୋଗ୍ୟ, ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା। କିଛିଦିନ ହେଲା ସେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


