ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାନ୍ଦ୍ରିବିହାରସ୍ଥିତ ଉତ୍କଳ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ଏକ ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍କ୍ଲେଭ ୨.୦ ରବିବାର ହୋଟେଲ ମେ ଫେୟାର କନ୍ଭେନ୍ସନ୍ ଭୁବନେଶ୍ୱରଠାରେ ଉଦ୍ଘାଟନ ସହ ଉଦ୍ଯାପିତ ହୋଇଯାଇଛି। ପୁରୀ ଏମ୍ପି ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଗୁଣାତ୍ମକ ଏବଂ ସୁଲଭ କର୍କଟ ଚିକିତ୍ସା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳି ନାଇଜରର ନିର୍ଦ୍ଦେଶକ ଡ. ହିରେନ୍ଦ୍ରନାଥ ଘୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ବାସ୍ତବ ସ୍ଥିତି ଓ ସମ୍ମିଳନୀର ଆଭିମୁଖ୍ୟ ଓ ନିରନ୍ତର ଶିକ୍ଷାର ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଡା. ପି.କେ.ଦାସ, ଡା. ଆର.କେ.ମହାପାତ୍ର, ଡା. ପି.ଆର.ଘଡାଇ କର୍ମଶାଳାର ବିଷୟବସ୍ତୁ ଓ ଦେଶର ରୋଗୀଙ୍କ ପାଇଁ ଉତ୍କଳ ହସ୍ପିଟାଲ ଦ୍ୱାରା ନିରନ୍ତର ବ୍ୟକ୍ତିଗତ କର୍କଟ ଚିକିତ୍ସା ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କର୍ମଶାଳାର ସଂଗଠନ ସଚିବ ଥିବା ରେଡିଏସନ୍ ଅଙ୍କୋଲୋଜି ନିର୍ଦ୍ଦେଶକ ଡା. ସଞ୍ଜୀବ କେ. ମିଶ୍ର ଉତ୍କଳ ହସ୍ପିଟାଲରେ ଉପଲବ୍ଧ କର୍କଟ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଉପରେ ବିସ୍ତୁତ ଭାବେ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ ପ୍ରଫେସର ସୁଶୀଲ କୁମାର ଗିରିଙ୍କୁ କର୍କଟ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ( ବିଶେଷକରି ମହିଳା କର୍କଟ ରୋଗ ପ୍ରତି ତାଙ୍କ ଜୀବନବ୍ୟାପୀ ଅବଦାନ) ସମ୍ମାନିତ କରାଯାଇଥିଲା। କର୍ମଶାଳା ଶେଷରେ ଡା. ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ କର୍କଟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପ୍ରାୟ ୨୫୦ ପ୍ରତିନିଧି ଯୋଗ ଦେଇଥିଲାବେଳେ ଅନେକ ପ୍ରସିଦ୍ଧ ଜାତୀୟ ଏବଂ ରାଜ୍ୟ ଡାକ୍ତରୀ ଅଧ୍ୟାପକ ସେମାନଙ୍କର ସାରଗର୍ଭକ ଆଲୋଚନା କରିଥିଲେ।


