ନୂଆଦିଲ୍ଲୀ,୧୦।୮: ଆମେରିକା ସହ ବାଣିଜ୍ୟ ଉତ୍ତେଜନା ମଧ୍ୟରେ ଭାରତୀୟ ରପ୍ତାନିକାରୀମାନେ ଆଗାମୀ ୫୦% ଟାରିଫ୍ ବୃଦ୍ଧିର ସମ୍ଭାବନା ପୂର୍ବରୁ ଜରୁରୀ ଅର୍ଡର ପଠାଇବା ପାଇଁ ତତ୍ପର ହେଉଛନ୍ତି, ଯାହା ଫଳରେ ସାମୁଦ୍ରିକ ଭଡ଼ା ୫-୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି ଫେଡେରେସନ ଅଫ୍ ଫ୍ରେଟ୍ ଫରୱାର୍ଡର୍ସ ଆସୋସିଏସନ୍ର ଅଧ୍ୟକ୍ଷ ଦୁଷ୍ୟନ୍ତ ମୁଲାନୀ କହିଛନ୍ତି।
ସାମୁଦ୍ରିକ ଜାହାଜ ମାଧ୍ୟମରେ ଆମେରିକାକୁ ପଠାଯାଉଥିବା ମାଲ ୪୦-୪୫ ଦିନ ମଧ୍ୟରେ ପହଞ୍ଚୁଥିବାରୁ ଟାରିଫ୍ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଅନେକ ରପ୍ତାନିକାରୀ ଗୁରୁତ୍ୱପୂର୍ଣ୍ଣ ଅର୍ଡର ପାଇଁ ବାୟୁ ମାର୍ଗରେ ପରିବହନକୁ ପସନ୍ଦ କରୁଛନ୍ତି। ଫେଡେରେସନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (ଏଫଆଇଇଓ)ର ମହାନିର୍ଦ୍ଦେଶକ ଅଜୟ ସାହାଇ କହିଛନ୍ତି, “କେବଳ ବାୟୁ ମାର୍ଗରେ ପରିବହନ କଲେ ମାଲ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୫% ଟାରିଫ୍ ଦେଇ ପହଞ୍ଚିପାରିବ।”
ଔଷଧ ଓ ଇଲେକ୍ଟ୍ରୋନିକ୍ସ ଭଳି ଭାରତର ପ୍ରମୁଖ ରପ୍ତାନି ଉତ୍ପାଦ ଏପର୍ଯ୍ୟନ୍ତ ବେଶୀ ପ୍ରଭାବିତ ହୋଇନାହିଁ, ଯାହା ଅଳ୍ପ ସମୟ ପାଇଁ କିଛି ଆଶ୍ୱାସନା ଦେଉଛି। ତେବେ ଏହି ବ୍ୟାଘାତ ୬-୧୨ ମାସ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ମୁଲାନୀ ଆଶଙ୍କା ପ୍ରକାଶ କରିଛନ୍ତି। ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରୋମୋସନ କାଉନସିଲ (ଇଇପିସି)ର ଅଧ୍ୟକ୍ଷ ପଙ୍କଜ ଚଡ୍ଡା କହିଛନ୍ତି ଯେ ଆମେରିକାକୁ ଭଡ଼ା ଖର୍ଚ୍ଚ ଗତ କିଛି ସପ୍ତାହରେ ତୀବ୍ର ଭାବେ ବୃଦ୍ଧି ପାଇଛି। ପୂର୍ବ ଉପକୂଳ ପାଇଁ ଭଡ଼ା ମୂଲ୍ୟ ୨୪୦୦-୨୬୦୦ ଡଲାର ଏବଂ ପଶ୍ଚିମ ଉପକୂଳ ପାଇଁ ୨୧୦୦-୨୩୦୦ ଡଲାର ରହିଛି। ଉଦାହରଣ ସ୍ୱରୂପ, ମୁମ୍ବାଇରୁ ସାଭାନାକୁ ୨୦ ଫୁଟ କଣ୍ଟେନର ପାଇଁ ଭଡ଼ା ୧୭୦୦ ଡଲାରରୁ ୨୦୦୦ ଡଲାରକୁ ବୃଦ୍ଧି ପାଇଛି, ଯାହା ୫୦୦ ଡଲାରର ବୃଦ୍ଧିକୁ ସୂଚାଇଛି।
ଟାରିଫ୍ ସମସ୍ୟା ଦୀର୍ଘସ୍ଥାୟୀ ହେଲେ ରପ୍ତାନିକାରୀମାନେ ବିକଳ୍ପ ବଜାରକୁ ଗୁରୁତ୍ୱ ଦେଉଛନ୍ତି। ସରକାର କୂଟନୈତିକ ମାଧ୍ୟମରେ ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି ଏବଂ ଆଗାମୀ ସପ୍ତାହ ମଧ୍ୟରେ ଦୀର୍ଘମିଆଦୀ ଉଦ୍ୟୋଗ ଘୋଷଣା କରିବେ ବୋଲି ଆଶା କରାଯାଉଛି। ମୁଲାନୀ କହିଛନ୍ତି, “ସରକାର ରପ୍ତାନିକାରୀଙ୍କ ପାଇଁ ସମର୍ଥନ ବ୍ୟବସ୍ଥା ଗଢ଼ି ତୋଳୁଛନ୍ତି।”


