ନୂଆଦିଲ୍ଲୀ,୧୪।୩: ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି କହିଛନ୍ତି, ଏହି ଆକ୍ରମଣ ଇରାନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି।
ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, “ବର୍ତ୍ତମାନ, ମୋ ନିର୍ଦ୍ଦେଶରେ, ଆମେରିକୀୟ ସେନା ମଧ୍ୟପ୍ରାଚ୍ୟ ଇତିହାସର ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି, ଇରାନର ଖାର୍ଗ ଦ୍ୱୀପରେ ସମସ୍ତ ସାମରିକ ଲକ୍ଷ୍ୟସ୍ଥଳକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି।”
ଇରାନର ଉତ୍ତର ପାରସ୍ୟ ଉପସାଗରରେ ଅବସ୍ଥିତ ଖାର୍ଗ ଦ୍ୱୀପ, ଇରାନର ପ୍ରାୟ ୯୦% ଅଶୋଧିତ ତୈଳ ରପ୍ତାନି ପରିଚାଳନା କରେ। ଏହା ହର୍ମୁଜ ପ୍ରଣାଳୀର ଉତ୍ତର-ପଶ୍ଚିମରେ ପ୍ରାୟ ୪୮୩ କିଲୋମିଟର ଏବଂ ମୁଖ୍ୟଭୂମିରୁ ପ୍ରାୟ ୨୪ କିଲୋମିଟର ଦୂରରେ ଅବସ୍ଥିତ। ରିପୋର୍ଟ ଅନୁଯାୟୀ, ଏଥିରେ ପ୍ରତିଦିନ ପ୍ରାୟ ୭ ନିୟୁତ ବ୍ୟାରେଲ ତେଲ ଲୋଡ କରିବାର କ୍ଷମତା ଅଛି।
ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ହର୍ମୁଜ ପ୍ରଣାଳୀ ଦେଇ ଜାହାଜର ସୁରକ୍ଷିତ ପଥକୁ କୌଣସି ପ୍ରକାରେ ବାଧା ଦିଆଯାଏ, ତେବେ ସେ ତୁରନ୍ତ ତାଙ୍କର ନୀତିର ପୁନବିର୍ଚାର କରିବେ। ସେ କହିଛନ୍ତି ଯେ ଆମେରିକା ଖୁବ୍ଶୀଘ୍ର ଏହି ରାସ୍ତାରେ ଯାଉଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏକ ସୁରକ୍ଷା କଭର ଆରମ୍ଭ କରିବ। “ଯଦି ଇରାନ କିମ୍ବା ଅନ୍ୟ କେହି ଏହି ରାସ୍ତାରେ ବାଧା ସୃଷ୍ଟି କରନ୍ତି, ତେବେ ମୁଁ ତୁରନ୍ତ ଏହି ନିଷ୍ପତ୍ତିର ପୁନବିର୍ଚାର କରିବି ବୋଲି ସେ କହିଛନ୍ତି।

