ନ୍ୟୁୟର୍କ,୧୩।୫: ଆମେରିକାର ପେନସିଲଭାନିଆରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଦୁଇଜଣ ଭାରତୀୟ ଛାତ୍ରଙ୍କ କାର ଗଛ ସହିତ ଧକ୍କା ହୋଇ ପୋଲ ତଳକୁ ଖସି ପଡ଼ିବାରୁ ଏଥିରେ ସେମାନେ ମୃତ୍ୟୁବରଣ କରିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାରେ ଗାଡ଼ିର ଆଗ ସିଟରେ ଥିବା ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି ଏବଂ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ଏହି ଖବର ପାଇବା ପରେ, ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଦୂତାବାସ ପୋଷ୍ଟ କରିଛି,
କ୍ଲିଭଲ୍ୟାଣ୍ଡ ଷ୍ଟେଟ ୟୁନିଭରସିଟିର ଦୁଇ ଭାରତୀୟ ଛାତ୍ର ମାନବ ପଟେଲ (୨୦) ଏବଂ ସୌରଭ ପ୍ରଭାକର (୨୩) ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜାଣିବା ଦୁଃଖଦ। ଏହି କଷ୍ଟକର ସମୟରେ ଆମର ସମବେଦନା ଏବଂ ପ୍ରାର୍ଥନା ସେମାନଙ୍କ ପରିବାର ସହିତ ଅଛି।
ସୂଚନାଯୋଗ୍ୟ, କନସୁଲେଟ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଛି। ଏକ ରିପୋର୍ଟ ଅନୁସାରେ, ଶନିବାର ସକାଳ ପ୍ରାୟ ୭ଟାରେ ବ୍ରେକନକ ଟାଉନସିପର ପେନସିଲଭାନିଆ ଟର୍ନପାଇକରେ ଏକ ସଡ଼କ ଦୁର୍ଘଟଣାରେ ଯୁବ ଛାତ୍ରମାନଙ୍କର ମୃତ୍ୟୁ ହୋଇଥିଲା।
ଲାଙ୍କାଷ୍ଟର କାଉଣ୍ଟି କରୋନରଙ୍କ କାର୍ଯ୍ୟାଳୟ ଏବଂ ପେନସିଲଭାନିଆ ରାଜ୍ୟ ପୋଲିସ ଅନୁସାରେ, ପଟେଲ ଏବଂ ପ୍ରଭାକରଙ୍କ କାର ଏକ ଗଛରେ ପିଟି ହେବା ଏବଂ ପରେ ଏକ ପୋଲ ସହିତ ଧକ୍କା ହେବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରଭାକର ଗାଡ଼ି ଚଳାଉଥିଲେ।
ପୋଲିସ କହିଛି ଯେ ଉଭୟଙ୍କ ମୃତ୍ୟୁ ଘଟଣାସ୍ଥଳେ ଅନେକ ଆଘାତ ଯୋଗୁଁ ହୋଇଥିଲା। ଉଭୟଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି କୁହାଯାଇଥିଲା।


