ସହରାଞ୍ଚଳ ପ୍ରଦୂଷଣ ଘାତକ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍‌,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇପଡ଼ିଲାଣି। ଯାନବାହନ ବୃଦ୍ଧି ସାଙ୍ଗକୁ ଅନବରତ ନିର୍ମାଣ କାର୍ଯ୍ୟଜନିତ ଧୂଳି ଓ ସବୁଜ ବଳୟ ନଷ୍ଟ ହେବା ଯୋଗୁ ଶ୍ୱାସ ରୁନ୍ଧିଦେଲା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ରାଜଧାନୀ ଦିଲ୍ଲୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ସମଗ୍ର ଦେଶର ଚିନ୍ତା ବଢ଼ାଇ ଦେଇଛି। ଦେଶର ୧୩୨ ସହର ପ୍ରଦୂଷଣର ବିଷାକ୍ତ ବଳୟ ଭିତରକୁ ଚାଲିଯାଇଛି। ଓଡ଼ିଶାର ସହର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଯାନବାହନ, ଶିଳ୍ପାଞ୍ଚଳ, ନିର୍ମାଣ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁ ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧିପାଉଛି। ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗନଗର ଆଦି ୭ଟି ସହର ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଉଛନ୍ତି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ ଦ୍ୱାରା କରାଯାଇଥିବା ସର୍ଭେରୁ ଏକଥା ସ୍ପଷ୍ଟ ହୋଇଛି।
ସହରାଞ୍ଚଳର ପରିବେଶକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବାରୁ ଗୋଟିଏ ପରେ ଗୋଟିଏ ସହର ପ୍ରଦୂଷଣ ବଳୟ ଭିତରକୁ ଚାଲିଯାଉଛି। ସାଧାରଣତଃ ବାୟୁରେ ୧୦ ମାଇକ୍ରନରୁ କମ୍‌ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା। ମାତ୍ର ସହରାଞ୍ଚଳଗୁଡ଼ିକରେ ଏହାଠାରୁ ଯଥେଷ୍ଟ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ହାର ସ୍ବାଭାବିକ ମାତ୍ରାଠାରୁ ପ୍ରାୟ ୩୬ ପ୍ରତିଶତ ଅଧିକ ଥିବାବେଳେ ଅନୁଗୋଳରେ ୨୮, କଟକ ୨୭, ରାଉରକେଲା ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ଉପରେ ରହୁଛି। ରିପୋର୍ଟ ଅନୁଯାୟୀ ରବିବାର ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍‌ୟୁଆଇ) ୧୫୩ ରହିଥିବାବେଳେ କଳିଙ୍ଗନଗରରେ ୧୨୦ ରହିଛି, ଯାହାକି ୧୦୦ ମଧ୍ୟରେ ରହିବା କଥା।
ସହରାଞ୍ଚଳରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପ୍ରଦୂଷିତ ସହରଗୁଡ଼ିକର ପ୍ରଦୂଷଣ ହ୍ରାସ କରିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)କୁ ପରାମର୍ଶ ଦେଇଥିଲା। ରାଜ୍ୟର ଉକ୍ତ ୭ ସହରାଞ୍ଚଳଗୁଡ଼ିକର ବାୟୁ ପ୍ରଦୂଷଣ ମାତ୍ରା କିପରି ହ୍ରାସ କରାଯାଇପାରିବ ସେ ନେଇ
ସହରାଞ୍ଚଳ ପ୍ରଦୂଷଣ …
ରାଜ୍ୟ ସରକାର ଏକ ବ୍ୟାପକ ସ୍ବଚ୍ଛ ବାୟୁ ଆକ୍ସନ ପ୍ଲାନ (କମ୍ପ୍ରିହେନ୍‌ସିଭ କ୍ଲିନ୍‌ ଏୟାର ଆକ୍ସନ ପ୍ଲାନ୍‌) ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟ ପରିବହନ ବିଭାଗ, ଶିଳ୍ପ, କୃଷି, ଖଣି ଓ ଇସ୍ପାତ, ଗୃହନିର୍ମାଣ ଓ ନଗର ଉନ୍ନୟନ ଭଳି ଅନ୍ୟାନ୍ୟ ବିଭାଗକୁ ସାମିଲ କରାଯାଇଛି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ଏସ୍‌ପିସିବି ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ତୁଲାଇବ।
ପ୍ରଦୂଷିତ ବାୟୁମଣ୍ଡଳକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଶିଳ୍ପାଞ୍ଚଳ ଓ ଯାନବାହନଜନିତ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହିତ ସହରାଞ୍ଚଳ ନିକଟରେ ଥିବା ଅତି ପ୍ରଦୂଷିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରିବା, ସହରାଞ୍ଚଳରେ ଅଧିକମାତ୍ରାରେ ସବୁଜ ବଳୟ ସୃଷ୍ଟି କରିବା, ସର୍ବସାଧାରଣ ପରିବହନ ସେବାରେ ସଂସ୍କାର ଆଣିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଯାନବାହନରୁ ବାହାରୁଥିବା ଧୂଆଁ, ବର୍ଜ୍ୟବସ୍ତୁ ପରିଚାଳନା, କୋଠାବାଡ଼ି ନିର୍ମାଣ ଯୋଗୁ ହେଉଥିବା ପ୍ରଦୂଷଣ ଇତ୍ୟାଦିକୁ ରୋକିବା ଲାଗି ପଦକ୍ଷେପ ନିଆଯିବାକୁ ବ୍ୟବସ୍ଥା ହୋଇଛି। ରାଉରକେଲା, ତାଳଚେର, କଳିଙ୍ଗନଗର, ଅନୁଗୋଳ ହେଉଛି ଶିଳ୍ପାଞ୍ଚଳ ସହର। ସେଠାରେ ଶିଳ୍ପଭିତ୍ତିକ ପ୍ରଦୂଷଣ ରୋକିବାକୁ ଏକ ବଡ଼ ଆହ୍ବାନ ହୋଇଛି । ସେହିସବୁ ସହରରେ ପିଏମ୍‌(ପାର୍ଟିକୁଲେଟ ମ୍ୟାଟର)-୧୦ ରହୁଛି, ଯାହାର ସ୍ବାଭାବିକ ସ୍ତର ୧୦୦ ମାଇକ୍ରୋଗ୍ରାମ ରହିବା କଥା। ହେଲେ ଏହା ଅଧିକ ରହୁଛି। ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ବାୟୁ ପ୍ରଦୂଷଣ ପିଏମ୍‌-୧୦କୁ ୨୭ରୁ ୩୬ ପ୍ରତିଶତକୁ ହ୍ରାସ କରିବା ନେଇ ଆକ୍ସନ ପ୍ଲାନ୍‌ରେ ପରାମର୍ଶ ଦିଆଯାଇଛି। ଆସନ୍ତା ବର୍ଷ ରାଉରକେଲା ଏବଂ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ବାୟୁ ପ୍ରଦୂଷଣ ମାତ୍ରା ସ୍ବାଭାବିକଠାରୁ ଅଧିକ ରହିଲେ ଖେଳ ଆୟୋଜନ ନେଇ ଆଶଙ୍କ ସୃଷ୍ଟି ହୋଇପାରେ। ତେଣୁ ଏହା ପୂର୍ବରୁ ଉଭୟ ସହରରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ଏସ୍‌ପିସିବି, ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏ ସମ୍ପର୍କରେ ରାଜ୍ୟ ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନଙ୍କ କହିବା ହେଲା ଓଡ଼ିଶାରେ ଥିବା ସହରଗୁଡ଼ିକର ପ୍ରଦୂଷଣ ହାର ସେତେଟା ଚିନ୍ତାଜନକ ନୁହେଁ। କେତେକ ସହରରେ ପ୍ରଦୂଷଣ ହାର ସାମାନ୍ୟ ଅଧିକ ରହୁଛି। ସେଥିପାଇଁ କ୍ଲିନ୍‌ ଏୟାର ଆକ୍ସନ ପ୍ଲାନ୍‌ ଏବଂ ମାଇକ୍ରୋ ପ୍ଲାନ୍‌ କରାଯାଇଛି। ସହରଗୁଡ଼ିକର ପରିବେଶ କିପରି ସ୍ବଚ୍ଛ ରହିବ ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବା ସହ ନିୟମିତ ପରିସ୍ଥିତିର ସମୀକ୍ଷା କରାଯାଉଛି ବୋଲି ମୁରୁଗେସେନ୍‌ କହିଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ ଶିଳ୍ପ ଜିଲା ଅନୁଗୋଳର ଖଣି ଅଞ୍ଚଳରେ ପ୍ରଦୂଷଣ କମୁଥିବାବେଳେ ୫୫ନଂ. ଜାତୀୟ ରାଜପଥରେ ଏହା ବଢ଼ିବାରେ ଲାଗିଛି। ୨୦୧୮ରେ ଜିଲାରେ ପ୍ରଦୂଷଣର ମାତ୍ରା ବଢ଼ିଥିବା ରେକର୍ଡ ହୋଇଥିଲା। ସେହିବର୍ଷ ବାୟୁରେ ଭାସମାନ କଣିକା ପରିମାଣ ୧୦୦ ପିଏନ୍‌ଟିଏନ୍‌ ରହୁଥିବା ଜଣାପଡ଼ିଥିଲା। ସମୀକ୍ଷା ପରେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଆରମ୍ଭ କରାଯିବା ସହ ଏବେ ବାୟୁରେ ଭାସମାନ କଣିକା ପରିମାଣ ୭୫ରୁ ୮୫ ପିଏନ୍‌ଟିଏନ୍‌କୁ ହ୍ରାସ କରାଯାଇପାରିଛି। ଏଥିଲାଗି ଅନ୍‌ଲାଇନ୍‌ ମନିଟରିଂ ସିଷ୍ଟମ୍‌ କାର୍ଯ୍ୟ କରୁଛି। ଚିମିନିରୁ ନିର୍ଗତ ଧୂଅଁାଜନିତ ପ୍ରଦୂଷଣ ମାତ୍ରା ଅଟୋ ରେକର୍ଡ କରାଯାଉଛି। ହାଇ ଫ୍ରିକ୍ୱେନ୍ସି କ୍ୟାମେରା ଲଗାଯିବା ସହ ଖଣି ଅଞ୍ଚଳର ରୋଡ୍‌ କରିଡର ଚାରିପଟେ ସବୁଜ କପଡ଼ା ବନ୍ଧା ଯାଇଛି। ପାଣି ସିଞ୍ଚନ ମଧ୍ୟ କରାଯାଉଛି। ଫଳରେ ୩ ବର୍ଷ ହେଲା ସ୍ଥିତିରେ ସୁଧାର ଆସିଛି। ତେବେ ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନ ଥିବାରୁ ପ୍ରଦୂଷଣ ବଢୁଥିବା ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଅନୁପ ମଲ୍ଲିକ ସୂଚନା ଦେଇଛନ୍ତି।
ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ କହିବା ହେଲା ଶିଳ୍ପାଞ୍ଚଳରେ ପ୍ରଦୂଷଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଇଣ୍ଡଷ୍ଟ୍ରି ଏୟାର ପଲ୍ୟୁଶନ କାଉଣ୍ଟିଂ ଡିଭାଇସ୍‌ ଲଗାଯାଇଛି। ଅନ୍‌ଲାଇନ ମନିଟରିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବା ସହ ନ୍ୟାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ ଜରିଆରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଗାଡ଼ି ମୋଟରରୁ ନିର୍ଗତ ଧୂଆଁକୁ ରୋକିବାକୁ ଜୋର ଦେବାକୁ କୁହାଯାଇଛି। ଆଗକୁ ମେକାନିକାଲ ରୋଡ୍‌ ସୁଇପର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ରହିଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri