ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ ଅଲ୍ଲୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତର ଫଟୋ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ଆସନ୍ତା ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏଭଳି ସମୟରେ ଅମରୋହାର ବାସିନ୍ଦା ମହମ୍ମଦ ଶାମିଙ୍କ ଏହି ସାକ୍ଷାତକୁ ଆଗାମୀ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି । ତେବେ ଏହି ସାକ୍ଷାତର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ । ଶାମି ଭାଜପାରେ ଯୋଗଦେବା କିମ୍ବା ସକ୍ରିୟ ରାଜନୀତିକୁ ଆସିବା ନେଇ ମଧ୍ୟ କୌଣସି ପୁଷ୍ଟି ହୋଇନାହିଁ।
ଏହା ପୂର୍ବରୁ ମହମ୍ମଦ ଶାମି ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍ଡି) ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ । ସେହି ସାକ୍ଷାତ ପରେ ମଧ୍ୟ ଶାମି ରାଜନୀତିକୁ ଆସିବା ଏବଂ ଅମରୋହାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ସହ ତାଙ୍କର ସାକ୍ଷାତ ଏହି ଆଲୋଚନାକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ୨୦୨୬ ନଭେମ୍ବର ୬ ତାରିଖରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଶେୟାର କରି ସେ ଏହି ଘୋଷଣା କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ୨୦୧୩ ନଭେମ୍ବର ୬ରେ ସେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଠିକ୍ ୧୩ ବର୍ଷ ପରେ ସେହି ତାରିଖରେ ୬୪ଟି ଟେଷ୍ଟ ମ୍ୟାଚ୍ରେ ୨୨୯ଟି ୱିକେଟ୍ ନେବାର ରେକର୍ଡ ସହ ଏହି ଫର୍ମାଟ୍କୁ ବିଦାୟ ଜଣାଇଥିଲେ। ତେବେ ଶାମି ଏପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇନାହାନ୍ତି।
ଅବସର ଘୋଷଣା ବେଳେ ଶାମି ଲେଖିଥିଲେ ଯେ ଅନେକ ସୁନ୍ଦର ସ୍ମୃତି ସହ ସେ ଭାରାକ୍ରାନ୍ତ ମନରେ ଟେଷ୍ଟ କ୍ରିକେଟ୍କୁ ବିଦାୟ ଜଣାଉଛନ୍ତି । ଧଳା ଜର୍ସି ଛାଡ଼ିବା ତାଙ୍କ ପାଇଁ ସହଜ ନୁହେଁ, କିନ୍ତୁ ଏହା ସହ ଜଡ଼ିତ ସ୍ମୃତି ସବୁବେଳେ ହୃଦୟରେ ରହିବ । ପ୍ରଥମ ଥର ଭାରତର ଟେଷ୍ଟ ଜର୍ସି ପିନ୍ଧିବା ତାଙ୍କ ପାଇଁ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଥିଲା ବୋଲି ସେ କହିଥିଲେ।