ଲକ୍ଷ୍ନୌ,୨୨।୨: ଛେପ ପକାଇ ରୁଟି ପ୍ରସ୍ତୁତ କରିବାର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶ ଆଲିଗଡ ରୋରାୱାର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ତେଲିପଡ଼ାର ଶାଦାବ ଚିକେନ ଦରବାର ହୋଟେଲରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ପୋଲିସ ଏବଂ ଖାଦ୍ୟ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଭାଇରାଲ ଭିଡିଓରେ ହୋଟେଲର ଜଣେ କର୍ମଚାରୀ ରୁଟିି ପ୍ରସ୍ତୁତ କରିବା ସମୟରେ ଛେପ ପକାଉଥିବାର ଦେଖାଯାଉଛି। ଦୁଇଟି ଭିଡିଓ କ୍ଲିପ ଭାଇରାଲ ହେବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ଏହି ଭିଡିଓଟି ଫେବୃଆରୀ ୨୧ତାରିଖରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପୋଲିସର ଦୃଷ୍ଟିକୁ ଆସିଥିଲା। ସୂଚନା ପାଇବା ପରେ ରୋରାୱାର ପୋଲିସ ଷ୍ଟେସନ ହୋଟେଲକୁ ଚିହ୍ନଟ କରି ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ କାରିଗରକୁ ଗିରଫ କରିଥିଲା। ପୋଲିସ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଖାଦ୍ୟ ବିଭାଗର ଏକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦଳ ହୋଟେଲରୁ ଖାଦ୍ୟ ନମୁନା ସଂଗ୍ରହ କରିଥିଲା ଏବଂ ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ହୋଟେଲକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସମୟରେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।
Dharitri – Odisha’s No.1 Odia Daily

