ସୋସାଇଟି-ମିଲର ଅସାଧୁ ମେଣ୍ଟ, ରାସ୍ତାକୁ ଓହ୍ଲାଇବେ ଚାଷୀ

ଭଞ୍ଜନଗର୧୪।୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସ୍ଥାନରେ କାଗଜ କଲମରେ ମଣ୍ଡି ଖୋଲିଛି। ସୋସାଇଟି ଏବଂ ମିଲର ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚିହ୍ନଟ ହୋଇଥିବା ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ। ତେଣୁ ବାଧ୍ୟ ହୋଇ ଚାଷୀମାନେ ମିଲ୍‌ରେ ସିଧା ଧାନ ବିକ୍ରି କରୁଛନ୍ତି। ମିଲରମାନେ ମଧ୍ୟ କୁଇଣ୍ଟାଲ ପିଛା ଅଧିକ ୭ କେଜି ଧାନ ନେଇଯାଉଛନ୍ତି । ଅଖା ଏବଂ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଦିଆଯାଉନାହିଁ। ଚାଷୀମାନଙ୍କୁ ଖୋଲାଖୋଲି ଭାବେ ମିଲରମାନେ ଠକୁଥିଲେ ମଧ୍ୟ ସମବାୟ ଏବଂ ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି । ଏନେଇ ଶୁକ୍ରବାର ଋଷିକୁଲ୍ୟା ରୟତ ମହାସଂଘ ପକ୍ଷରୁ ଭଞ୍ଜନଗର ଉପ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସେକ୍ସନ ଅଫିସର ଅନିଲ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବଗୁଡ଼ିକ ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବା ପାଇଁ ଦାବି କରାଯାଇଛି। ନଚେତ ଚାଷୀମାନେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ଗୋପାଳ କୃଷ୍ଣ ବିଷୋୟୀ, ସୁଶାନ୍ତ କୁମାର ନାୟକ, ସଚ୍ଚି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କୃଷକ ନେତା ଗୋପାଳ ବିଷୋୟୀ କହିଛନ୍ତିଯେ ସୋମବାର ଏନେଇ ଉପ ଜିଲାପାଳଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରାଯିବ। ଆଲୋଚନା ସଫଳ ନହେଲେ ପରବର୍ତ୍ତି ପଦକ୍ଷେପ ନିଆଯିବ। ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ରୋଡ଼ ଚକାଡ଼ୋଳା ରାଇସ ମିଲର ଅଂଶୀଦାର ମୁରଲୀଧର ପୃଷ୍ଟିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମର ଏଠି କୌଣସି ବେନିୟମ କାର୍ଯ୍ୟ ହେଉନାହିଁ ।