ଦାରିଙ୍ଗବାଡି,୧୬/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। ଦୁର୍ବୁତ୍ତ ମାନେ ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ ତଥା ଶାଳ, ପିଆଶାଳ, ଶିଶୁ ଭଳି ଗଛ କାଟି ନେଇଯାଉଛନ୍ତି। ବନ ବିଭାଗ ଚୁପ ବସିଛି। ସେପଟେ ବଡ଼ ବଡ଼ ଗଛ ଗୁଡିକୁ ଅଧାକାଟି ଛାଡି ଶୁଖିବା ପର୍ଯ୍ୟନ୍ତ ଦୁର୍ବୁତ୍ତମାନେ ଅପେକ୍ଷା କରୁଥିବାବେଳେ ଗଛ ପଡ଼ି ବିଦ୍ୟୁତ ସେବା ଅଚଳ ହୋଇପଡୁଛି। ଏଭଳି ବାରମ୍ବାର ଘଟୁଥିଲେ ମଧ୍ୟ ବନ ବିଭାଗ କିଭଳି କାଠ ଚୋରଙ୍କୁ ଧରିପାରୁନି ତାହା ସାଧାରଣରେ ପ୍ରଶ୍ନ ଉଠୁଛି।
ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡିଠାରୁ ବାଲିଗୁଡା ଯିବା ବାଟରେ ସୁଲୁମାହା ଜଙ୍ଗଲ ରହିଛି। ଉକ୍ତ ଜଙ୍ଗଲ ରାଜପଥ କଡ଼ରେ ରହିଥିବାରୁ କାଠ ଚୋରଙ୍କୁ ରାତିରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ିରେ ବୋହି ନେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ନୀରବ ରହିବା ବନ ବିଭାଗର ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗୋଟିଏ ପଟେ ବିଭାଗ ଏବେ ଉଜୁଡିଯାଇଥିବା ଜଙ୍ଗଲରେ ବୃକ୍ଷ ରୋପଣ କରି ପୁନଃରୁଦ୍ଧାର କରୁଥିବା ବେଳେ ଗତ ଦୁଇ ଦିନ ତଳେ ରାଜ୍ୟର ମୁଖ୍ୟ ପିସିସିଏଫ ସୁରେଶ ପନ୍ତ ଏବଂ ବ୍ରହ୍ମପୁରରୁ ଆରସିସିଏଫ ବିଶନାଥ ନୀଳନଭର ପହଞ୍ଚି ଉଜୁଡିଯାଇଥିବା ଜଙ୍ଗଲରେ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ ବିଭାଗ ସହ ଆଲୋଚନା କରି ଫେରିଥିଲେ। ସେମାନେ ଫେରିବାର ଗୋଟିଏ ଦିନ ପରେ ଏଭକି ଜଙ୍ଗଲରୁ ଦୁର୍ବୁତ୍ତମାନେ ନିର୍ଭୟରେ ଗଛ କାଟି ଜଙ୍ଗଲ ବିଭାଗକୁ ଖୋଲା ଚାଲେଞ୍ଜ କରୁଥିବା ଚର୍ଚ୍ଚା ହୋଇଛି। ଖବର ଲେଖିବା ସୁଦ୍ଧା ଦାରିଙ୍ଗବାଡି ବିଦ୍ୟୁତ ବିଭାଗର କର୍ମଚାରୀମାନେ ବିଦ୍ୟୁତ ତାର ଉପରେ ପଡିଥିବା ବିରାଟ ଗଛକୁ ହଟାଇ ବିଦ୍ୟୁତ ସେବା ଯୋଗାଇଥିଲେ। ଜଙ୍ଗଲରୁ ଗଛ କଟାଯିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଏହା ସମ୍ଭବ ହୋଇପାରିନାହିଁ।


