ମାଲକାନଗିରିରେ ଅଜଣା ରୋଗ: ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୯ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ସମୟରେ ଜଣକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ହଳଦୀକୁଣ୍ଡ ଗ୍ରାମର ମାସା ମାଡ଼କାମି। ଅନ୍ୟପକ୍ଷେ କ୍ବାକ୍‌ଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଶୁକ୍ରବାର ସମ୍ପୃୃକ୍ତ କ୍ବାକ୍‌ଙ୍କୁ ଗିରଫ କରି ମାଥିଲି ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ସାଲିମି ଗ୍ରାମର ନରେନ୍ଦ୍ର ମାଦ୍ରି। ମାଥିଲି ସ୍ବାସ୍ଥ୍ୟ ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ନାମରେ ୧୮୨/୨୨ରେ ମାମଲା ରୁଜୁ ହୋଇଥିଲା।

ଗତ କିଛିଦିନ ହେଲା ହଳଦୀକୁଣ୍ତରେ ଅଜଣା ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ଏହି ରୋଗରେ ଆକ୍ରାନ୍ତ ହେଲେ ଲୋକଙ୍କ ହାତଗୋଡ଼ ଫୁଲିବା ସହ ଜ୍ୱରରେ ହଠାତ୍‌ ଲୋକଙ୍କ ମୃତ୍ୟୁ ହେଉଛି। ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନା ନ ଯାଇ ଗୁଣିଆ କିମ୍ବା କ୍ବାକ୍‌ଙ୍କ ଆଶ୍ରୟ ନେଉଛନ୍ତି। ଅନ୍ୟପକ୍ଷେ ଡାକ୍ତର ଅମିୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ହଳଦୀକୁଣ୍ତ ଗ୍ରାମକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି। ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ୧୫ଜଣଙ୍କୁ ମେଡିକାଲ ଆସିବାକୁ ପରାମର୍ଶ ଦେଇଥିଲେ। ତେବେ ଡାକ୍ତରଖାନାକୁ ଭରସା ନ କରି ମାତ୍ର ୪ ଜଣ ରୋଗୀ ଡାକ୍ତରଖାନା ଆସି ଭର୍ତ୍ତି ହୋଇଛନ୍ତି।