ଅଭିଜିତ ଦୀପକେଙ୍କୁ ବଡ଼ ଅଫର ଦେଲେ କେନ୍ଦ୍ରମନ୍ତ୍ରୀ, NDAରେ….

ନୂଆଦିଲ୍ଲୀ,୧୮।୧୦: କକ୍‌ରୋଚ୍‌ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶ ତଥା ବିଶ୍ୱର ଜେନ୍‌-ଜି ଯୁବପିଢ଼ିଙ୍କ ମଧ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠାୱଲେ ତାଙ୍କୁ ନିଜ ଦଳ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (RPI)ରେ ଯୋଗଦେବାକୁ ଖୋଲା ଅଫର୍‌ ଦେଇଛନ୍ତି। ଏଥିସହ NDAରେ ସାମିଲ ହୋଇ ଏକାଠି କାମ କରିବାକୁ ସେ ଅଭିଜିତଙ୍କୁ ଆହ୍ୱାନ ଦେଇଛନ୍ତି।
ଆଠାୱଲେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଆମ ଟିମ୍‌ର କ୍ୟାପ୍‌ଟେନ୍‌ ଏବଂ ସେ ନିଜେ ତାଙ୍କ ଟିମ୍‌ର ଜଣେ ଖେଳାଳି । ୨୦୨୯ ଲୋକ ସଭା ନିର୍ବାଚନରେ ମଧ୍ୟ NDA ବିଜୟୀ ହୋଇ ଚତୁର୍ଥ ଥର ପାଇଁ ସରକାର ଗଠନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ମହାରାଷ୍ଟ୍ରର ଧାରାଶିବ ଅଞ୍ଚଳରେ ମରୁଡ଼ି ପରିସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଆଠାୱଲେ ଗଣମାଧ୍ୟମ ସହ ଆଲୋଚନା ସମୟରେ ଏହି ଅଫର୍‌ ଦେଇଥିଲେ।
ତାଙ୍କ କହିବା ଅନୁଯାୟୀ, NDAର ରାଜନୈତିକ ମେଣ୍ଟ ଅଧିକ ମଜଭୁତ ହୋଇଛି । ଅଭିଜିତ ଦୀପକେ ଯଦି ଆମ୍ବେଦକରବାଦୀ ବିଚାରଧାରାରେ ବିଶ୍ୱାସ କରନ୍ତି, ତେବେ ଯୁବପିଢ଼ିଙ୍କୁ ଏକାଠି କରି NDAକୁ ମଜଭୁତ କରିବାରେ ସହଯୋଗ କରିବା ଉଚିତ । ନିଜ ଦଳ CJP ମାଧ୍ୟମରେ ବାବାସାହେବ ଆମ୍ବେଦକରଙ୍କ ବିଚାରଧାରାକୁ ଆଗକୁ ନେବା ସହ ଦେଶସେବାରେ ଯୋଗଦାନ ଦେବାକୁ ମଧ୍ୟ ସେ ଅଭିଜିତଙ୍କୁ ପରାମର୍ଶ ଦେଇଛନ୍ତି।
ଏଥିପାଇଁ ଅଭିଜିତ ଦୀପକେ ନିଜ କକ୍‌ରୋଚ୍‌ ଜନତା ପାର୍ଟି ସହ RPIରେ ଯୋଗଦେବା ବିଷୟରେ ଚିନ୍ତା କରନ୍ତୁ ବୋଲି ଆଠାୱଲେ କହିଛନ୍ତି। ଅନ୍ୟପକ୍ଷରେ, ଅକ୍ଟୋବର ୧୬ ତାରିଖରେ ଅଭିଜିତ ଦୀପକେ ଦିଲ୍ଲୀର କନ୍ନଟ୍‌ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି କରିବାକୁ ଆହ୍ୱାନ ଦେଇଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ସେଠାକୁ ଯିବାକୁ ଦେଇନଥିଲା। ପୁଲିସ ଅଭିଜିତଙ୍କୁ ଝଣ୍ଡେୱାଲାନ୍‌ ଅଞ୍ଚଳରୁ ଏବଂ AISAର ଜାତୀୟ ସଭାପତି ନେହା ବୋରାଙ୍କୁ ମଣ୍ଡି ହାଉସ୍‌ରୁ ଅଟକ ରଖିଥିଲା।
ନେହା ବୋରାଙ୍କୁ ବିଳମ୍ବିତ ରାତିରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଜିତଙ୍କୁ ପ୍ରତିଷେଧମୂଳକ ଭାବେ ଅଟକ ରଖି ସ୍ପେଶାଲ୍‌ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ (SEM)ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ଏବଂ ଶାନ୍ତି ବଜାୟ ରଖିବା ପାଇଁ ପିସ୍‌ ବଣ୍ଡ୍‌ରେ ଦସ୍ତଖତ କରାଯାଇଥିଲା।
ଅକ୍ଟୋବର ୧୦ ତାରିଖରେ ପୂରଣ କରିଥିବା ପିସ୍‌ ବଣ୍ଡ୍‌ର ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ପୁଣି ଗିରଫ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

 

Dharitri – Odisha’s No.1 Odia Daily

Share