ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍ ବଡ଼ମାଳ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ସହ ପ୍ରଚୁର ନଗଦ ଟଙ୍କା ଓ ଦାମୀ ଗାଡ଼ି ଜବତ କରିଛି। ଏହି ବେଆଇନ କାରବାର ଘଟଣାରେ ପୋଲିସ୍ ପାର୍ବତୀ ସାହୁ (୪୦) ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ପୋଲିସକୁ ଚକ୍ମା ଦେଇ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ବଡ଼ମାଳ ଗ୍ରାମର ସୂର୍ଯ୍ୟକାନ୍ତ ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ ଦୀର୍ଘ ଦିନ ହେବ ବେଆଇନ କଫ୍ ସିରପ୍ କାରବାର କରୁଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ବରଗଡ଼ ଏସ୍ପି ରବିନ୍ଦ୍ରନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଭଟଲି ଥାନାର ଏକ ବିଶେଷ ପୋଲିସ୍ ଟିମ୍ ମଙ୍ଗଳବାର ଅଭିଯୁକ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସୂର୍ଯ୍ୟକାନ୍ତ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ପାର୍ବତୀ ଘରେ ଉପସ୍ଥିତ ଥିଲେ। ପୋଲିସ୍ ପୁରା ଘର ଛାନଭିନ୍ କରିବା ପରେ ଘର ପଛପଟେ ନିର୍ମିତ ଏକ ଗୁପ୍ତ ଅଣ୍ଡରଗ୍ରାଉଣ୍ଡ୍ ସିକ୍ରେଟ୍ ଚାମ୍ବରର ସନ୍ଧାନ ପାଇଥିଲା। ସେହି ଗୁପ୍ତ ଚାମ୍ବର ଭିତରେ ଲୁଚାଯାଇଥିବା ୮୧୩ ବୋତଲ କଫ୍ ସିରପ୍କୁ ପୋଲିସ୍ ଜବତ କରିଥିଲା।
ଏହା ସହିତ ଅଭିଯୁକ୍ତଙ୍କ ଘରୁ ନଗଦ ୩ ଲକ୍ଷ ୩୩ ହଜାର ୬୦୦ ଟଙ୍କା, ଗୋଟିଏ ମହିନ୍ଦ୍ରା ବୋଲେରୋ (ନଂ-ଓଡ଼ି୧୭ଜେଡ୍ ୩୦୧୯), ଗୋଟିଏ ମହିନ୍ଦ୍ରା ଥର୍ (ନଂ-ଓଡ଼ି୧୭ଏଏଚ୍ ୩୪୨୨), ୪ଟି ମୋବାଇଲ୍ ଫୋନ୍, ବ୍ୟାଙ୍କ ପାସ୍ବୁକ୍, ଏଟିଏମ୍ କାର୍ଡ, ଆଧାର କାର୍ଡ ଓ ଭୋଟର କାର୍ଡ଼ ଆଦି ଜବତ କରାଯାଇଛି। ଗିରଫ ହୋଇଥିବା ମହିଳା ପାର୍ବତୀ ସାହୁଙ୍କୁ ବୁଧବାର ବରଗଡ଼ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଭଟଲି ଥାନା ପୋଲିସ୍ କେସ୍ ନଂ-୨୭୮/୨୬ ରୁଜୁ କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିବା ପାଇଁ ବ୍ୟାପକ ତନାଘନା ଜାରି ରଖିଛି।

