ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷା ନିର୍ବାଚିତ

ହିଞ୍ଜିଳିକାଟୁ,୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ଉପାଧ୍ୟକ୍ଷା ଭାବେ ବିଜେଡି ଦଳର ସୁଚିତ୍ରା ପଣ୍ଡା ଗୁରୁବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୨୧ଓ୍ବାର୍ଡ ବିଶିଷ୍ଟ ପୌର ପରିଷଦରେ ୧୫ ଜଣ ବିଜେଡି,୪ ଜଣ ସ୍ବାଧୀନ, ଭାଜପା ଏବଂ କଂଗ୍ରେସର ଗୋଟିଏ ଲେଖାଏ ସଭ୍ୟ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ନୂତନ ଭାବେ ଦଳୀୟ ଏଜେଣ୍ଟ ନିଯୁକ୍ତି ନିୟମ ଅନୁସାରେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବିଜେଡି ପକ୍ଷରୁ ଦଳୀୟ ଏଜେଣ୍ଟ ନିଯୁକ୍ତ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଚିତ୍ରା ଏକମାତ୍ର ପ୍ରାର୍ଥୀନୀ ଥିଲେ। ନିର୍ବାଚନ ପ୍ରକ୍ରିୟା ପରେ ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲାପାଳ ସୁଚିତ୍ରାଙ୍କୁ ଉପାଧ୍ୟକ୍ଷା ଘୋଷଣା କରିଥିଲେ।