ଭାରତର ପରିବେଶ ଓ ପରମ୍ପରା ସହ କାଉ ଯୋଡ଼ି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ କାଉକୁ ଅତ୍ୟନ୍ତ ଚତୁର ପକ୍ଷୀ ବୋଲି ବିବେଚନା କରାଯାଏ। ଦକ୍ଷିଣ ମେରୁ, ଉତ୍ତର ମେରୁ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଂଶ ଓ ପ୍ରଶାନ୍ତ ମହାସାଗରର କେତେକ ଦ୍ୱୀପକୁ ଛାଡ଼ି ଦେଲେ କାଉ ପ୍ରାୟ ସବୁଠି ଦେଖିବାକୁ ମିଳନ୍ତି। ପୃଥିବୀରେ ପ୍ରାୟ ୪୦ ପ୍ରଜାତିର କାଉ ଥିବାବେଳେ ଭାରତରେ ସାଧାରଣତଃ ୨ଟି ପ୍ରଜାତିର କାଉ ଦେଖିବାକୁ ମିଳନ୍ତି। ଏହି ୨ଟି ହେଲେ ଡାମରା କାଉ ଓ ପାତି କାଉ। ଡାମରା ଅତି ଚିକ୍କଣ କଳା ହୋଇଥିବା ବେଳେ ଏହାର ରାବ ଅତ୍ୟନ୍ତ କର୍କଶ। ପାତି କାଉର ବେକ ଟିକେ ପାଉଁଶିଆ। କାଉ ଏକ ସର୍ବଭକ୍ଷୀ ପକ୍ଷୀ। ସେ ଅଳିଆ, ଆବର୍ଜନା ମଧ୍ୟ ଭକ୍ଷଣ କରିଥାଏ। ଯେଉଁଥି ପାଇଁ ପରିବେଶ ସଫାସୁତୁରା ରଖିବାରେ କାଉର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଗଛରେ ଶହ ଶହ ସଂଖ୍ୟାର କାଉମାନେ ବସା ବାନ୍ଧି ରହିଥାନ୍ତି। ସକାଳୁ ସକାଳୁ ଏମାନେ ଖାଦ୍ୟ ଅନ୍ବେଷଣରେ ଦଳବଳ ହୋଇ ବାହାରି ଯାଆନ୍ତି। ସା ବେଳକୁ ଦଳ ଦଳ ହୋଇ ବସାକୁ ଫେରି ଆସନ୍ତି। ଖାଦ୍ୟ ପାଇଁ ଏମାନେ ପ୍ରାୟ ୩୦ ମାଇଲି ରାସ୍ତା ଅତିକ୍ରମ କରିପାରନ୍ତି। ଖାଲି ଏତିକି ନୁହେଁ କାଉ କୋଇଲି ଅଣ୍ଡାକୁ ଉଷୁମାଇବା, ଅଣ୍ଡାରୁ ଛୁଆ ଫୁଟାଇବା ଓ ଛୁଆ ବଡ଼ ହେବା ଯାଏ ଦାୟିତ୍ୱ ନିର୍ବାହ କରନ୍ତି।
ବର୍ତ୍ତମାନ ଆମ ପରିବେଶ ପରିବର୍ତ୍ତନ ହେବାରେ ଲାଗିଛି। ଦ୍ରୁତ ସହରୀକରଣ, ଜଙ୍ଗଲ କ୍ଷୟ, କଳ କାରଖାନା, ଗାଡି ମୋଟର ବୃଦ୍ଧି ଏବଂ ସବୁଠାରୁ ବଡ଼ କଥା ହେଲା ଆମ ଜୀବନଶୈଳୀ ଓ ଚାଲିଚଳନରେ ବିଶେଷ ପରିବର୍ତ୍ତନର ପ୍ରଭାବ ପରିବେଶ ଉପରେ ପଡ଼ିବାରେ ଲାଗିଛି। ଯେଉଁଥି୍ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏହି ଅସନ୍ତୁଳିତ ପରିବେଶର ପ୍ରଭାବ ସିଧାସଳଖ ପଶୁପକ୍ଷୀଙ୍କ ଉପରେ ପଡୁଛି। ସେମାନଙ୍କ ବଂଶ କମିବାରେ ଲାଗିଛି। ବର୍ତ୍ତମାନ କାଉଙ୍କ ଖାଦ୍ୟ ଓ ବାସସ୍ଥାନ କମିବା ସହ ପ୍ରଦୂଷିତ ପରିବେଶ ଯୋଗୁ ସେମାନେ ବିଭିନ୍ନ ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇ ଲୋପ ପାଇବାଙ୍କୁ ବସିଛନ୍ତି।
ରିପୋର୍ଟ- ସୌମ୍ୟରଞ୍ଜନ ରାଉତ,
ଭୁବନେଶ୍ୱର

