ସମ୍ବଲପୁର, ୨୫।୧୦(ପ୍ରମୋଦ ବହିଦାର/ସୁନୀଲ ମହାନ୍ତି): ରୋଗ ଯନ୍ତ୍ରଣାରେ ଛଟପଟ ମା’ଙ୍କ ଦୁଃଖ ସହିତ ନ ପାରି ପୁଅ ଆତ୍ମହତ୍ୟା କରିବା ଭଳି ଏକ ଲୋମହର୍ଷକ ଖବର ମିଳିଛି। ପୁତ୍ର ସୌରଭ ସମ୍ବିତ ତ୍ରିପାଠୀ(୨୨)ଙ୍କ ଶବକୁ ବୁର୍ଲା ପାୱାର ଚ୍ୟାନେଲରେ ଚିପିଲିମା ନିକଟରୁ ଶନିବାର ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।
ସୂଚନା ଅନୁସାରେ, ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ମା’ଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମ୍ସାରରେ ଭର୍ତ୍ତି କରିଥିଲେ। ତେବେ ମା’ଙ୍କ ଅସହ୍ୟ ଯନ୍ତ୍ରଣା ଦେଖି ସୌରଭ ଭାଙ୍ଗି ପଡ଼ିଥିଲେ। ସେ ମା’ଙ୍କୁ ଭିମ୍ସାରରେ ଏକାକୀ ଛାଡ଼ିଦେଇ ବୁଧବାର ରାତିରେ ହଠାତ କୁଆଡ଼େ ଚାଲି ଯାଇଥିଲେ। ପରେ ସେ ତାଙ୍କ ମା’ଙ୍କ ମୋବାଇଲକୁ ମା’, ମୁଁ ତୁମ ଦୁଃଖ ଦେଖ ପାରୁନି। ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି ବୋଲି ଏକ ଭାବବିହ୍ବଳ ବାର୍ତ୍ତା ପଠାଇଥିଲେ। ଯାହା ସୌରଭଙ୍କ ଆତ୍ମହତ୍ୟା ସନ୍ଦେହ ଘନୀଭୂତ ହୋଇଥିଲା।
ଫଳରେ ପରିବାର ଲୋକ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ଅନୁସନ୍ଧାନ କରିବା ସହ ସିସିଟିଭି କ୍ୟାମେରା ଯାଞ୍ଚ କରି ସୌରଭ ପାୱାର ଚ୍ୟାନେଲ ପଟେ ଯାଇ ଆଉ ଫେରି ନ ଥିବା ନିଶ୍ଚିତ ହେବାପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରି ଅଗ୍ନିଶମବାହିନୀ ସହାୟତାରେ ଶୁକ୍ରବାରଠାରୁ ପାୱାର ଚାନେଲରେ ଖୋଜାଖୋଜି ଆରମ୍ଭ କରିଥିଲା। ରାତି ଅନ୍ଧାରରେ ଖୋଜିବା କଷ୍ଟକର ହେବାରୁ ଶୁକ୍ରବାର ଖୋଜାଖୋଜିକୁ ବନ୍ଦ ରଖାଯାଇ ଶନିବାର ସକାଳେ ପୁଣି ଖୋଜିବା ଆରମ୍ଭ କରି ଚିପିଲିମା ନିକଟରୁ ସୌରଭଙ୍କ ଶବକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶବକୁ ପୋଲିସ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
Dharitri – Odisha’s No.1 Odia Daily

