ପଛକୁ ହଟିଲେ ରୁଷିଆ ସେନା, ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି କହିଲେ ଖେରସନ ଏବେ ଆମର

କ୍ୱିଭ,୧୨ ।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ସଦ୍ୟ ସୂଚନା ଅନୁଯାୟୀ, ୟୁକ୍ରେନର ଖେରସନରୁ ରୁଷିଆ ସେନା ପଛକୁ ହଟି ଯାଇଛନ୍ତି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଦାବି କରି କହିଛନ୍ତି, ଖେରସନ ଏବେ ଆମର । ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ୟୁକ୍ରେନ୍ ସେନାର ମୁଖ୍ୟ ଖେରସନରେ ପ୍ରବେଶ କରି ସାରିଲେଣି ।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି କି ରୁଷିଆ ୟୁକ୍ରେନର ଦକ୍ଷିଣ ଖେରସନ ଅଞ୍ଚଳରେ ନିପର ନଦୀର ପଶ୍ଚିମ କୂଳରେ ଥିବା ସମସ୍ତ ସେନାଙ୍କୁ ଫେରାଇ ଆଣିଛି । ରୁଷିଆର ଏମିତି ନିଷ୍ପତ୍ତି ତାହା ପୁଣି ୟୁକେନ୍ ସହ ଯୁଦ୍ଧ ସମୟରେ ହୋଇଥିବାରୁ ଏହା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବଡ ଝଟକା ବୋଲି କୁହାଯାଉଛି । ରୁଷିଆର ସରକାରୀ ସମାଚାର ଏଜେନ୍ସି ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଆଧାରରେ କହିଛି ଶୁକ୍ରବାର ସକାଳ ୫ଟା ସୁଦ୍ଧା ସମସ୍ତ ସେନାଙ୍କୁ ଫେରାଇ ଆଣିବା କାମ ଶେଷ ହୋଇଛି । ଏବେ ସେଠାରେ ରୁଷିଆର ଗୋଟିଏ ବି ସେନା ଶିବିର ନାହିଁ । ଯେଉଁଠାରୁ ରୁଷିଆ ସେନା ପଛକୁ ହଟିଛନ୍ତି ତାହା ଖେରସନ ସହର ସହ ସାମିଲ ରହିଛି ।

Share