କ୍ୱିଭ୍,୫।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆରୁ ତେଲ କିଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ରାଗିଛନ୍ତି ଏବଂ ଜରିମାନା ଦେବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଭାରତକୁ ଲଗାତାର ଧମକ ଦେଉଛନ୍ତି ଏବଂ ଦାବି କରୁଛନ୍ତି ଯେ, ଭାରତ ରୁଷିଆରୁ ତେଲ କିଣି ଖୋଲା ବଜାରରେ ଲାଭ ପାଇବା ପାଇଁ ଏହା କରୁଛି। ଯଦିଓ ଚାଇନା ଭାରତ ଅପେକ୍ଷା ରୁଷିଆରୁ ଅଧିକ ତେଲ କିଣୁଛି, ଟ୍ରମ୍ପ ଏହା ଉପରେ କୌଣସି ବିବୃତ୍ତି ଦେବାକୁ ଏଡ଼ାଇ ଯାଉଛନ୍ତି। ଏବେ ୟୁକ୍ରେନ ଅଭିଯୋଗ କରିଛି, ରୁଷିଆ ସେନା ଦ୍ୱାରା ତାଙ୍କ ବିରୋଧରେ ଯୁଦ୍ଧରେ ବ୍ୟବହାର କରାଯାଉଥିବା ଇରାନ-ଡିଜାଇନ ଡ୍ରୋନରେ ଭାରତୀୟ ନିର୍ମିତ ଇଲେକ୍ଟ୍ରୋନିକ ପାର୍ଟସ ବ୍ୟବହାର କରାଯାଉଛି। ୟୁକ୍ରେନ ଆନୁଷ୍ଠାନିକ ଭାବରେ ଭାରତ ସରକାର ଏବଂ ୟୁରୋପୀୟ ସଂଘ (EU) ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଛି ଏବଂ ଦାବି କରିଛି ଯେ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ର୍ନିମିତ କିମ୍ବା ସଂଗୃହିତ ଇଲେକ୍ଟ୍ରୋନିକ ପାର୍ଟସ ଇରାନ-ଡିଜାଇନ ଡ୍ରୋନରେ ମିଳିଛି।
ଦଲିଲ ଅନୁଯାୟୀ, ଇରାନ-ଡିଜାଇନ ଡ୍ରୋନ ଶାହିଦର ଭୋଲଟେଜ ନିୟାମକ ୟୁନିଟ ଭାରତୀୟ କମ୍ପାନୀ ବିଶାୟ ଇଣ୍ଟରଟେକ୍ନୋଲୋଜିର ଏକ ‘ବ୍ରିଜ ରେକ୍ଟିଫାୟର୍ E300359’ବ୍ୟବହାର କରିଥିଲା। ଯେତେବେଳେ ଡ୍ରୋନର ସାଟେଲାଇଟ ନାଭିଗେସନ ସିଷ୍ଟମର ଜାମର-ପ୍ରୁଫ ଆଣ୍ଟେନା Aura ସେମିକଣ୍ଡକ୍ଟର ଦ୍ୱାରା ନିର୍ମିତ PLL-ଆଧାରିତ ସିଗନାଲ ଜେନେରେଟର AU5426A ଚିପ ବ୍ୟବହାର କରିଥିଲା। ସୂତ୍ର ଅନୁଯାୟୀ ସମ୍ପୂର୍ଣ୍ଣ ବୈଷୟିକ ଆଧାରରେ, ଦୁଇଟି କମ୍ପାନୀ କୌଣସି ଭାରତୀୟ ଆଇନ ଉଲ୍ଲଂଘନ କରିନାହାଁନ୍ତି।
ଏହି ବିଷୟରେ ଏକ ପ୍ରଶ୍ନର ଉତ୍ତରରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି,ଭାରତର ଦ୍ୱୈତ-ବ୍ୟବହାର ସାମଗ୍ରୀର ରପ୍ତାନି ପରମାଣୁ ଅପ୍ରସାର ଉପରେ ଏହାର ଅନ୍ତର୍ଜାତୀୟ ଦାୟିତ୍ୱ ସହିତ ସଙ୍ଗତ ଏବଂ ଏହାର ଦୃଢ଼ ଘରୋଇ ଆଇନଗତ ଏବଂ ନିୟାମକ ଢାଞ୍ଚା ଉପରେ ଆଧାରିତ। ଏହିପରି ରପ୍ତାନି ଆମର କୌଣସି ଆଇନ ଉଲ୍ଲଂଘନ ନ କରେ ତାହା ନିଶ୍ଚିତ କରିବା ପାଇଁ ଉପଯୁକ୍ତ ଯାଞ୍ଚ କରାଯାଏ।


