ଯୁଦ୍ଧ ଜିତୁଛି ୟୁକ୍ରେନ୍‌

କିଭ୍‌, ୨୬ା୪: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଲକ୍ଷ୍ୟ ହାସଲ କରିବାରେ ରୁଷିଆ ବିଫଳ ହୋଇଛି। ବିଜୟ ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପ୍ରତିବଦ୍ଧତା ଏବଂ ଆତ୍ମବିଶ୍ୱାସ ରହିଛି। ରୁଷିଆ ବିରୋଧରେ ୟୁକ୍ରେନ୍‌ ଯୁଦ୍ଧ ଜିତୁଛି ବୋଲି କିଭ୍‌ରେ ଜେଲେନ୍‌ସ୍କିଙ୍କ ସହ ବୈଠକ ପରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ସମ୍ପୂର୍ଣ୍ଣ ବିଜୟ ପାଇଁ ଆମେରିକା ୟୁକ୍ରେନ୍‌କୁ ସବୁ ପ୍ରକାର ସହାୟତା ଯୋଗାଇଦେବ ବୋଲି ସେ ପ୍ରକାଶ କରିଛନ୍ତି। ବ୍ଲିଙ୍କେନ୍‌ଙ୍କ ସହ କିଭ୍‌ ଗସ୍ତ କରିଥିବା ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ପୋଲାଣ୍ଡରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏବେ ୟୁକ୍ରେନ୍‌ରେ ଯୁଦ୍ଧର ସ୍ଥିତି ବଦଳିଛି। ରୁଷିଆ ଉତ୍ତର ୟୁକ୍ରେନ୍‌ରୁ ଫେରି ଡୋନ୍‌ବାସ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏଥିଯୋଗୁ ୟୁକ୍ରେନ୍‌ର ସାମରିକ ଆବଶ୍ୟକତା ବଢ଼ିଛି। ଜେଲେନ୍‌ସ୍କି ଏବେ ଅଧିକ ଯୁଦ୍ଧାସ୍ତ୍ର ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଜିତିବାର ବିଶ୍ୱାସ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନିକଟରେ ରହିଛି। ତାଙ୍କୁ ଆବଶ୍ୟକ ସାମରିକ ସହାୟତା ଓ ସମର୍ଥନ ମିଳିଲେ ୟୁକ୍ରେନ୍‌ ଯୁଦ୍ଧରେ ବିଜୟ ଲାଭ କରିବ। ଆମେରିକା ଏହି ସହାୟତା ଦେବାକୁ ପ୍ରସ୍ତୁତ ବୋଲି ଅଷ୍ଟିନ୍‌ କହିଛନ୍ତି।
ପୂର୍ବ ୟୁରୋପୀୟ ଦେଶକୁ ଆମେରିକା ଅତିରିକ୍ତ ୩୦୦ ମିଲିୟନ ଡଲାରର ସାମରିକ ସହାୟତା ଦେବାକୁ ଘୋଷଣା କରିଥିବାବେଳେ ଗୁଳିଗୋଳା କିଣିବା ନିମନ୍ତେ ୧୬୫ ମିଲିୟନ ଡଲାରକୁ ମଞ୍ଜୁରୀ ଦେଇଥିବା ବ୍ଲିଙ୍କେନ୍‌ କହିଛନ୍ତି। ଆମେରିକା ଚାହେଁ ୟୁକ୍ରେନ୍‌ ଏକ ସ୍ବାଧୀନ ଦେଶ ହୋଇ ରହିବା ସହ ନିଜ ସାର୍ବଭୌମତ୍ୱକୁ ରକ୍ଷା କରିବାରେ ସଫଳ ହେଉ ଏବଂ ରୁଷିଆ ଦୁର୍ବଳ ହୋଇ କେବେ ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବା ସ୍ଥିତିରେ ନ ରହୁ ବୋଲି ଅଷ୍ଟିନ୍‌ ପ୍ରକାଶ କରିଛନ୍ତି। ଏଥିସହ ଖୁବଶୀଘ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌ ରାଷ୍ଟ୍ରଦୂତ ଭାବେ ବ୍ରିଡ୍‌ଗେଟ୍‌ ବ୍ରିଙ୍କ୍‌ଙ୍କୁ ନିଯୁକ୍ତ କରିବେ ବୋଲି ସୂଚନା ରହିଛି।

Share