ପୁଣେ,୭।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଶିବସେନା (ୟୁବିଟି)ଚିନ୍ତାରେ ଅଛି। ଅନେକ ନେତା ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ଉଦ୍ଧବ ଠାକରେ ଗୋଷ୍ଠୀରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ଉଦ୍ଧବ ଗୋଷ୍ଠୀର ୬ ଜଣ ଏମ୍ପି ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା ଅଛି।
ସୂତ୍ର ଅନୁସାରେ, ଠାକରେ ଗୋଷ୍ଠୀର ୬ ଜଣ ଏମ୍ପି ଶିନ୍ଦେ ଗୋଷ୍ଠୀ ସହିତ ଯୋଗାଯୋଗରେ ଅଛନ୍ତି। ‘ଅପରେସନ ଟାଇଗର’ ମାଧ୍ୟମରେ, ଠାକରେ ଗୋଷ୍ଠୀର ୯ ଜଣ ଏମ୍ପିଙ୍କ ମଧ୍ୟରୁ ୬ ଜଣ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେବେ ବୋଲି କୁହାଯାଉଛି। ଆଗାମୀ ସଂସଦ ଅଧିବେଶନ ପୂର୍ବରୁ ଏହି ଅଭିଯାନକୁ ସମାପ୍ତ କରିବା ପାଇଁ ପ୍ରୟାସ ଜାରି ରହିଥିବା ସୂତ୍ରରୁ ଜଣାପଡିଛି।
ଏକନାଥ ସିନ୍ଦେଙ୍କ ଶିବସେନା ଶେଷରେ ୬ ଜଣ ଏମ୍ପିଙ୍କୁ ମନାଇବାରେ ସଫଳ ହୋଇଛି ଏବଂ ଏହା ପ୍ରକାଶ ପାଇଛି ଯେ ପରଦା ପଛରେ ନିରନ୍ତର ବୈଠକ ଚାଲିଥିଲା। ସୂଚନା ମିଳିଛି ଯେ, ୬ ଜଣ ସାଂସଦ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେବାକୁ ପ୍ରସ୍ତୁତ ଏବଂ ଖୁବ ଶୀଘ୍ର ଦଳରେ ଯୋଗଦେବେ। ଏହି ମାମଲାରେ ଭାଜପା ମଧ୍ୟ ଶିନ୍ଦେଙ୍କୁ ସମର୍ଥନ କରୁଛି। ଏହା ସହିତ, କିଛି ବିଧାୟକ ମଧ୍ୟ ଯୋଗାଯୋଗରେ ଥିବା ଖବର ରହିଛି। ତଥାପି, ବିଧାୟକମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।


