Categories: ଖେଳ

ଆଇଏଲ୍‌ ଟି୨୦ରେ ଭାଗନେବେ ୬ ଫ୍ରାଞ୍ଚାଇଜ

ଦୁବାଇ,୭।୬: ଏମିରେଟ୍ସ କ୍ରିକେଟ ବୋର୍ଡ(ଇସିବି) ଦ୍ୱାରା ଆରମ୍ଭ ହେବାକୁ ଥିବା ୬ ଦଳ ବିଶିଷ୍ଟ ଲିଗ୍‌କୁ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ (ଆଇଏଲ୍‌ ଟି୨୦) କୁହାଯିବ। ଏ ନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ର ପ୍ରଥମ ସିଜନରେ ୩୪ ମ୍ୟାଚ୍‌ ଦୁବାଇ, ଆବୁଧାବି ଓ ସାରଜାଠାରେ ଆଗାମୀ ଜାନୁୟାରୀ ୬ରୁ ଫେବୃୟାରୀ ୧୨ ପର୍ଯ୍ୟନ୍ତ ଖେଳାଯିବ। ତେବେ ପ୍ରାୟ ସମାନ ସମୟରେ କ୍ରିକେଟ ଦକ୍ଷିଣ ଆଫ୍ରିକା ତା’ର ଟି୨୦ ଲିଗ୍‌ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିନେଇ ସିଏସ୍‌ଏ ପକ୍ଷରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଜାନୁୟାରୀ ୧୨, ୧୪ ଓ ୧୭ ତାରିଖରେ ହେବାକୁ ଯାଉଥିବା ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଘୁଞ୍ଚାଇ ଦେବାକୁ ଅନୁରୋଧ କରାଯାଇଛି।

୨୦୨୨-୨୩ ବିଗ୍‌ ବାଶ ଲିଗ୍‌ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଆଇଏଲ୍‌ ଟି୨୦ ଶେଷହେବାର ଦୁଇ ଦିନ ପରେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଆରମ୍ଭ ହେବାର ଅଛି। ଆଇଏଲ୍‌ ଟି୨୦ରେ ଭାଗନେବାକୁ ଥିବା ୬ ଫ୍ରାଞ୍ଚାଇଜ ମଧ୍ୟରେ ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଗ୍ରୁପ୍‌, ମୁକେଶ ଅମ୍ବାନୀଙ୍କ ଆର୍‌ଆଇଏଲ୍‌, ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ୍‌, ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଗ୍ଲାଜର ଫ୍ୟାମିଲୀ, ଦିଲ୍ଲୀ କ୍ୟାପିଟାଲ୍ସର ମାଲିକାନା ରହିଛି। ୩ ଆଇପିଏଲ୍‌ ଫ୍ରାଞ୍ଚାଇଜ(କେକେଆର, ଏମ୍‌ଆଇ ଓ ଡିସି)କୁ ଆଇପିଏଲରେ ସେମାନଙ୍କ ପାଇଁ ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ୪ ଜଣଙ୍କ ସହ ଚୁକ୍ତି କରିବାକୁ ଅଗ୍ରାଧିକାର ଦିଆଯାଇଛି। ପ୍ରତ୍ୟେକ ଦଳକୁ ଖେଳାଳିଙ୍କୁ କିଣିବା ପାଇଁ ୨୦ ମିଲିଅନ ଡଲାର (୧୫.୫୩ କୋଟି) ପର୍ସ ଦିଆଯିବ ବୋଲି ପୂର୍ବରୁ ଇସିବି ପକ୍ଷରୁ ଘୋଷଣା କରାଯାଇଛି।

Share