ନୂଆଦିଲ୍ଲୀ,୧୭।୧: ୧୯ ବର୍ଷରୁ କମ୍ ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ଡିଏଲଏସ ନିୟମରେ ପଡୋଶୀ ଦେଶକୁ ପରାସ୍ତ କରି ଭାରତ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି। ଶେଷ ମୁହୂର୍ତ୍ତରେ ବିହାନ ମାଲହୋତ୍ରାଙ୍କ ଏକ ଚମତ୍କାର କ୍ୟାଚ୍ ଭାରତକୁ ଏହି ରୋମାଞ୍ଚକର ସଫଳତା ଦେଇଛି।
ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୨୩୮ ରନର ସ୍କୋର କରିଥିଲା। ୧୪ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ୬୭ ବଲରୁ ୭୨ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିସହିତ ସେ ୧୯ ବର୍ଷରୁ କମ୍ ବିଶ୍ୱକପ ଇତିହାସରେ ସର୍ବକନିଷ୍ଠ ଖେଳାଳି ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ୟୁଥ୍ ଦିନିକିଆରେ ବିରାଟ କୋହଲିଙ୍କ ନାଁରେ ଏହି ରେକର୍ଡକୁ ଥିଲା। ଅନ୍ୟପଟେ ୱିକେଟକିପର ବ୍ୟାଟର ଅଭିଜ୍ଞାନ କୁଣ୍ଡୁ ୮୦ ରନର ଏକ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଥିଲେ।
ବାଂଲାଦେଶର ଇନିଂସ ସମୟରେ ବର୍ଷା ହେବାରୁ ଖେଳକୁ ୨୯ ଓଭରକୁ ହ୍ରାସ କରାଯାଇଥିଲା ଏବଂ ବିଜୟ ଲକ୍ଷ୍ୟ ୧୬୫ ରନ ରଖାଯାଇଥିଲା। ବାଂଲାଦେଶ ଏକ ସମୟରେ ମ୍ୟାଚ ଉପରେ ନିୟନ୍ତ୍ରଣ ରଖିଥିଲେ ସୁଦ୍ଧା ଭାରତୀୟ ବୋଲର ଓ ଫିଲ୍ଡରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ସେମାନେ ମାତ୍ର ୧୪୬ ରନରେ ଅଲଆଉଟ୍ ହୋଇଯାଇଥିଲେ।
ବୋଲିଂରେ ୪ ଓଭରରେ ମାତ୍ର ୧୪ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିବା ବିହାନ ମାଲହୋତ୍ରା ମ୍ୟାଚର ଶେଷ ୱିକେଟ ପାଇଁ ଏକ ଅବିଶ୍ୱସନୀୟ କ୍ୟାଚ୍ ଧରିଥିଲେ। ହେନିଲ ପଟେଲଙ୍କ ବଲରେ ଇକବାଲ ହୋସେନ ଏକ ଜୋରଦାର ସଟ୍ ମାରିଥିଲେ ମଧ୍ୟ ମାଲହୋତ୍ରା ଲଙ୍ଗ୍ ଅନ୍ ଅଞ୍ଚଳରେ ଡାଇଭ୍ ମାରି ଏହି କ୍ୟାଚ୍ଟିକୁ ଧରି ଭାରତକୁ ବିଜୟୀ କରାଇଥିଲେ।

