ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’ ଦୁର୍ଘଟଣାକୁ ଡାକୁଛି ବୋଲି ଅଭିଯୋଗ ହୋଇଛି। ବଡ଼ବଡ଼ ଭାରୀଯାନଗୁଡ଼ିକ ବିପଦପୂର୍ଣ୍ଣ ଭାବେ ୟୁ-ଟର୍ନ କରୁଛନ୍ତି। ଫଳରେ ଅନ୍ୟପଟରୁ ଆସୁଥିବା ଗାଡ଼ିଗୁଡ଼ିକ ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ୧୬ ନମ୍ବର ଏବଂ ୫୩ନମ୍ବର ଜାତୀୟ ରାଜପଥର ମିଶ୍ରଣ ଚଣ୍ଡିଖୋଲଠାରେ ହୋଇ ଚାରିଛକ ସୃଷ୍ଟି ହୋଇଛି। ଫଳରେ ଏହି ଛକରେ ସବୁବେଳେ ଭିଡ଼ ଦେଖିବାକୁ ମିଳୁଛି। ରାସ୍ତା ଉଭୟ ପାର୍ଶ୍ୱକୁ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ ପୋଷ୍ଟ ରହିଛି। କିନ୍ତୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ନିରୀହ ଲୋକଙ୍କ ଜୀବନଯିବାରୁ ଏହି ରାସ୍ତାକୁ ବ୍ୟାରିକେଡ୍‌ ଦ୍ୱାରା ବନ୍ଦ କରାଯାଇଛି। ଫଳରେ କଟକରୁ କେନ୍ଦ୍ରାପଡ଼ା ଓ ପାରାଦୀପ ଅଭିମୁଖେ ଯାଉଥିବା ବସ୍‌ ଏବଂ ଅନ୍ୟ ଗାଡ଼ିଗୁଡ଼ିକ ରେଲୱେ ଓଭରବ୍ରିଜ ନିକଟରେ ୟୁ-ଟର୍ନ କରି ପୁନର୍ବାର ଟ୍ରାଫିକ ପୋଷ୍ଟ ନିକଟକୁ ଆସି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଛନ୍ତି। କିଛି ଗାଡ଼ି ଅତି ବିପଦପୂର୍ଣ୍ଣ ଭାବରେ ଏହିସ୍ଥାନରେ ୟୁ-ଟର୍ନରେ ଯାଉଥିବା ଦେଖିବାକୁ ମିଳୁଛି। ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଯାତାୟାତ କରୁଥିବାରୁ ରେଲୱେ ଓଭରବ୍ରିଜ ନିକଟରେ ୟୁ-ଟର୍ନ ନେଉଥିବାଗାଡ଼ିଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ ଉଭୟ ପଟରୁ ଆସୁଥିବା ଗାଡ଼ିଗୁଡ଼ିକ ମଧ୍ୟରେ ଦୁର୍ଘଟଣା ଆଶଙ୍କା ରହୁଛି। ଅନେକଗାଡ଼ି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହାଉପରେ ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଏବଂ ଟ୍ରାଫିକ ପୋଲିସ ଦୃଷ୍ଟି ଦେବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share