ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ ପିଏଫ ଆକାଉଣ୍ଟଧାରୀମାନଙ୍କୁ ନିଜ ଆକାଉଣ୍ଟ ବିଷୟରେ ଜାଣିବା ପାଇଁ ୱେବସାଇଟ ଲଗ୍-ଇନ୍ କରିବାକୁ କିମ୍ବା କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଆସନ୍ତା ଏକ ମାସ ମଧ୍ୟରେ EPFO ଏକ ହ୍ବାଟସଆପ ଆଧାରିତ ସେବା ଆରମ୍ଭ କରିବ, ଯେଉଁଠାରେ କେବଳ ଏକ ମେସେଜ ପଠାଇ ସଦସ୍ୟମାନେ ନିଜ ପିଏଫ ଆକାଉଣ୍ଟ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ।
ଏହି ନୂତନ ବ୍ୟବସ୍ଥା ଅଧୀନରେ EPFO ଏକ ସାଧାରଣ ହ୍ବାଟ୍ସଆପ୍ ନମ୍ବର ଜାରି କରିବ, ଯାହା ସାରା ଦେଶରେ ବ୍ୟବହାର କରାଯିବ । ସଦସ୍ୟମାନେ ଏହି ନମ୍ବରକୁ କେବଳ ’Hello’ ଲେଖି ମେସେଜ ପଠାଇବେ । ଏହା ପରେ ସେମାନଙ୍କୁ ଅନେକ ସେବାର ବିକଳ୍ପ ଦେଖାଯିବ ।
ଏହି ସୁବିଧା ମାଧ୍ୟମରେ ଲୋକମାନେ ନିଜର ପିଏଫ୍ ବାଲାନ୍ସ, ଶେଷ ପାଞ୍ଚଟି କାରବାର (Transactions), କ୍ଲେମ ଷ୍ଟାଟସ ଏବଂ ବିଚାରାଧୀନ ମାମଲା ବିଷୟରେ ସହଜରେ ଜାଣିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଦସ୍ୟମାନେ ନିଜ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ସୂଚନା ପାଇପାରିବେ ।
EPFOର ଏହି ନୂତନ ସେବା ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ଚାଟବଟ ସହିତ ଜଡ଼ିତ ହେବ । ଏହି ଚାଟବଟ ଲୋକଙ୍କ ସାଧାରଣ ପ୍ରଶ୍ନର ଉତ୍ତର ୨୪ ଘଣ୍ଟା ଧରି ଦେବ । ଯଦି କୌଣସି ମାମଲା ଅଧିକ ଜଟିଳ ହୁଏ, ତେବେ ସିଷ୍ଟମ ଆଗାମୀ ପ୍ରକ୍ରିୟା ଏବଂ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିବ ।
ସରକାରଙ୍କ ମତରେ ଏହି ସୁବିଧା ଦ୍ୱାରା ଲୋକମାନେ କଲ ସେଣ୍ଟରର ଦୀର୍ଘ ପ୍ରକ୍ରିୟା ଏବଂ EPFO କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବା ଭଳି ସମସ୍ୟାରୁ ମୁକ୍ତି ପାଇବେ । ଏହାଦ୍ୱାରା ଅଭିଯୋଗଗୁଡ଼ିକର ସମାଧାନ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଶୀଘ୍ର ହୋଇପାରିବ ।
କେବଳ ଗ୍ରାହକ ଅଦାଲତରେ ନୁହେଁ, ବରଂ EPFO ସହ ଜଡ଼ିତ ମୋଟ ବିଚାରାଧୀନ ମାମଲା ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ବର୍ଷକ ପୂର୍ବେ ଯେଉଁଠାରେ ୩୧,୦୩୬ଟି ମାମଲା ବିଚାରାଧୀନ ଥିଲା, ତାହା ଏବେ ହ୍ରାସ ପାଇ ୨୭,୬୩୯ ହୋଇଯାଇଛି । ସରକାରଙ୍କ କହିବା ଅନୁଯାୟୀ, ଡିଜିଟାଲ ସେବାକୁ ପ୍ରୋତ୍ସାହନ ଦେବା ଏବଂ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଆଗାମୀ ଦିନରେ ଆକାଉଣ୍ଟଧାରୀମାନେ ଆହୁରି ଅଧିକ ସୁବିଧା ପାଇପାରିବେ ।