ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ସିଧାସଳଖ ଇରାନକୁ ଦାୟୀ କରିବା ସହିତ ଏହାକୁ ସାମୁଦ୍ରିକ ଜଳଦସ୍ୟୁତା ବୋଲି ଅଭିହିତ କରିଛି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଆକ୍ରମଣରେ ଜାହାଜଗୁଡ଼ିକରେ ସାମାନ୍ୟ କ୍ଷତି ହୋଇଥିବାବେଳେ କେହି ମୃତାହତ ହୋଇନାହାନ୍ତି କିନ୍ତୁ ପାର୍ସୀପାଖ ସାମୁଦ୍ରିକ ଜଳପଥର ସୁରକ୍ଷାକୁ ନେଇ ବଡ଼ ଚିନ୍ତା ସୃଷ୍ଟି କରିଛି। ଆବୁଧାବିର ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ୍ କମ୍ପାନୀ ଏଡିଏନ୍ଓସିର ଦୁଇଟି ଟ୍ୟାଙ୍କର ଏହି ଆକ୍ରମଣର ଶିକାର ହୋଇଥିଲେ। ୟୁଏଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବାଣିଜି୍ୟକ ଜାହାଜଗୁଡ଼ିକୁ ଟାର୍ଗେଟ କରିବା ଏବଂ ହର୍ମୁଜ ପ୍ରଣାଳୀକୁ ଆର୍ଥିକ ଚାପ ସୃଷ୍ଟି କରିବା ପାଇଁ ବ୍ୟବହାର କରିବା ହେଉଛି ଇରାନର ରିଭୋଲ୍ୟୁଶନାରି ଗାର୍ଡ କର୍ପସର ଏକ ଜଳଦସ୍ୟୁ କାର୍ଯ୍ୟାନୁଷ୍ଠାନ।
ଅନ୍ୟପକ୍ଷରେ ଜାଗା ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁସନର ଆସନ୍ତା ସପ୍ତାହରେ ମଧ୍ୟପ୍ରାଚ୍ୟ ଗସ୍ତ କରିବେ। ଇସ୍ରାଏଲ-ହମାସ ଯୁଦ୍ଧବିରତିକୁ ଆଗକୁ ବଢ଼ାଇବା ଏବଂ ଗାଜା ଶାନ୍ତି ଚୁକ୍ତିକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କୁସନର, ନିକୋଲେ ମ୍ଲାଡେନୋଭ୍ ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ରବିବାର ଇସ୍ରାଏଲରେ ପହଞ୍ଚିବେ। ଏହାପରେ ସେମାନେ କାଏରୋ ଗସ୍ତ କରି ପାଲେଷ୍ଟାଇନ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ପାନାମା ଗସ୍ତ ସମୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ ଗଣମାଧ୍ୟମକୁ କହିଛନ୍ତି ଯେ ଆମେରିକୀୟ ସେନା ପାଖରେ ଇରାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନୌସେନା ଜାରି ରଖିବାର ପୂର୍ଣ୍ଣ କ୍ଷମତା ରହିଛି। ଏହି ଅବରୋଧକୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖାଯାଇପାରିବ, ଯାହାଦ୍ୱାରା ଇରାନର ଆର୍ଥିକ କ୍ଷତି ଆହୁରି ଗମ୍ଭୀର ହୋଇଯାଇଛି। ଏହା ସହିତ କୋଷାଗାର ସଚିବ ସ୍କଚ୍ ବେସେଣ୍ଟ ମଧ୍ୟ ଇରାନ ଉପରେ ଆହୁରି ଅଧିକ ଆର୍ଥିକ କ୍ଷତି ପହଞ୍ଚାଇବା ପାଇଁ ଆମେରିକା ଯୋଜନା କରୁଥିବା ପ୍ରକାଶ କରିଛନ୍ତି।