ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ: ତାରାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ

ପୁରୁଷୋତ୍ତମପୁର,୨।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛନ୍ତି। ପାହାଡ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୨୫ ରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪.୩୦ରେ ସାହାଣମେଲା ହୋଇ ମା’ ତାରାତାରିଣୀ ମହାଲକ୍ଷ୍ନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ସହ ରାତ୍ର ୩ ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା।
ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ, ଦେବୋତ୍ତର ବିଭାଗୀୟ ଛତ୍ରପୁର ସର୍କଲ ବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଓ ପ୍ରଶାନିକ ଅଧିକାରୀମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିବାରେ ଲାଗିଥିବାବେଳେ ସେବାୟତ ସଂଘ ସଭାପତି ତପନ କୁମାର ରଣା, ସେବାୟତ ବାପୁଜୀ ରଣା, ଧ୍ରୁବ ରଣଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ଏହି ପାଳିରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଛି। ମାନସିକଧାରୀ ଭକ୍ତମାନେ ପାହାଡ଼ ପାଦଦେଶରେ ମୁଣ୍ଡନ ଶାଳାରେ ନିଜ ନିଜର ଶିଶୁଙ୍କ ମୁଣ୍ଡନ କରାଇ ୯୯୯ ପାହାଛ ଚଢି ପାହାଡ଼ ଉପରକୁ ଯିବା ସହ ବସ ଓ ରୋପ ୱେ ମାଧ୍ୟମରେ ମଧ୍ୟ ପାହାଡ ଉପରକୁ ଯାଇ ମା’ଙ୍କ ଦର୍ଶନ କରିବାରେ ଲାଗିଛନ୍ତି।