ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକ ଦୁଇ ଜଣ ହେଲେ ସନ୍ତୋଷ ବାଡତ୍ୟା (୨୮) ଓ ନରସିଂହ ପ୍ରଧାନ (୩୦) ।
ମିଳିଥିବା ସୂଚନାନୁସାରେ, ଏମାନେ ଦୁଇ ସାଙ୍ଗ କେରଳରେ ଏକ ଘରୋଇ କମ୍ପାନୀରେରେ କାମ କରି ଆସୁଥିଲେ । ମଙ୍ଗଳବାର ସକାଳେ ଉଭୟ ଯାଉଥିବା ବେଳେ ରାସ୍ତାରେ ଏକ ନଳକୂପ ନିକଟରେ ଗୋଟିଏ ଛେଳି ଛଟପଟ ହେଉଥିବା ଦେଖିଥିଲେ। ଛେଳିକୁ ଉଦ୍ଧାର କରିବାକୁ ଯାଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଜଣା ପଡି ନ ଥିବାବେଳେ ମଧ୍ୟ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡିବ। କିଛି ଜଣ କରେଣ୍ଟ ଲାଗି କିମ୍ୱା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା କହୁଥିବା ଶୁଣିବାକୁ ମିଳିଛି। ତେବେ ବୁଧବାର ଗ୍ରାମରେ ମୃତଦେହ ପହଞ୍ଚିବ ବୋଲି ସୂଚନା ମିଳିଛି ।

