ପଞ୍ଚାୟତ ସମିତି ବୈଠକକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ପୁରୁଷୋତ୍ତମପୁର,୧୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ ଯୋଗଦେଇଥିଲେ। ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ହେଉ ନ ଥିବା ସହ ବୈଠକ ଡକାଇ ଶେଷ ମୁହୂର୍ତ୍ତରେ ବାତିଲ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ଏପ୍ରିଲ ମାସରେ ବୈଠକ ହୋଇଥିବା ବେଳେ ଦୀର୍ଘ ୯ ମାସ ପରେ ବୈଠକ ହୋଇଛି। ବୈଠକ ଠିକ୍‌ ସମୟରେ ନ ହେବାରୁ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜୁଥିବାର ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ଏହାକୁ ନେଇ ଅଧ୍ୟକ୍ଷାଙ୍କ ସମର୍ଥିତ ଓ ବିରୋଧୀ ଗୋଷ୍ଠୀର ଜନପ୍ରତିନିଧିଙ୍କ ମଧ୍ୟରେ ହୋ-ହଲ୍ଲା ହୋଇ ମୁହାଁମୁହିଁ ହୋଇଥିଲେ। ଏହା ସହ ଛତୁଆ ଯୋଗାଣକୁ ନେଇ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ସମାନ ପରିସ୍ଥିତି ଉପୁଜି ଏକ ପ୍ରକାରର ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ଫଳରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏଥିରେ ହସ୍ତକ୍ଷେପ କରି ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏଭଳି ଅପ୍ରୀତିକର ପରିସ୍ଥିତି ଯୋଗୁ ବହୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇପାରି ନ ଥିଲା। ତହସିଲଦାର ଜନସାଧାରଣଙ୍କ ସୁବିଧା ଲାଗି ମ୍ୟୁଟେଶନ, ମୃତ ବ୍ୟକ୍ତିଙ୍କ ନାମରେ ରହିଥିବା ପଟ୍ଟାର ପରିବର୍ତ୍ତନ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବୁଝାଇ ଏହି କାର୍ଯ୍ୟ ଲାଗି ଜନପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ିଛନ୍ତି।