ରାସ୍ତା ନିର୍ମାଣକୁ ନେଇ ଗୋଷ୍ଠୀସଂଘର୍ଷ: ଗାଁରେ ପୋଲିସ ମୁତୟନ

ଚାନ୍ଦବାଲି,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ରାମପଲ୍ଲୀ ଗାଁରେ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ଏକ ରାସ୍ତା ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା। ଉକ୍ତ ବିବାଦ ସମାଧାନ ହୋଇ ନ ଥିବା ବେଳେ ଗାଁକୁ ଆଉ ଏକ କାମ ଆସିଥିବାରୁ ଏହାକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ହେଲେ ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ସଂଘର୍ଷ ଘଟିଥିଲା। ଠେଙ୍ଗା, ଶାବଳ ଆକ୍ରମଣରେ ଉଭୟ ଗୋଷ୍ଠୀର ୯ ଜଣ ଆହତ ହୋଇଛନ୍ତି । କାହାର ମୁଣ୍ଡ ଫାଟିଛି ତ କାହାର ହାତ ଭାଙ୍ଗିଯାଇଛି। ଆହତଙ୍କ ମଧ୍ୟରେ ୪ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୫ ଜଣ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଉଭୟ ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଚାନ୍ଦବାଲି ଆଇଆଇସି ଏବଂ ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ କରାଯାଇଛି।