ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା ସହରର ଲୋକେ, ସମସ୍ତେ ଏହାହିଁ ମାନନ୍ତି ଯେ ମାଟିରେ କେବଳ ଝାଳ ବୁହେ, ଟଙ୍କା ନୁହେଁ। ଏହା ହେଉଛି ଦୁଇ ସମ୍ପର୍କୀୟ ଭାଇଙ୍କର ଏକ କାହାଣୀ, ଯେଉଁମାନେ ବ୍ୟାଙ୍କର ଲକ୍ଷାଧିକ ଟଙ୍କାର ଚାକିରିକୁ ଗୋଡ଼ରେ ଠେଲିଦେଇ ନିଜେ ୮୦୦ କୋଟି ଟଙ୍କାର ଏକ ସାମ୍ରାଜ୍ୟ ଠିଆ କରିଛନ୍ତି। ଯେଉଁମାନଙ୍କୁ ଆଜି ଦୁନିଆ ‘ଟୁ ବ୍ରଦର୍ସ ଅର୍ଗାନିକ ଫାର୍ମସ’ (Two Brothers Organic Farms) ନାମରେ ଜାଣେ।

କାହାଣୀଟି ଆରମ୍ଭ ହୁଏ ମହାରାଷ୍ଟ୍ରର ଏକ ଛୋଟ ଗାଁ ‘ଭୋଡନୀ’ରୁ। ଉଭୟଙ୍କ ପିତା ଗତ ୪୦ ବର୍ଷ ଧରି ଚାଷବାସ କରିଆସୁଥିଲେ। ସେମାନେ ନିଜ ଜୀବନର ପାଏ ପାଏ ଯୋଡ଼ି ଉଭୟ ପୁଅଙ୍କୁ ବୋର୍ଡିଂ ସ୍କୁଲ ପଠାଇଥିଲେ ଏବଂ ଏମବିଏ (MBA) କରାଇଥିଲେ। ଉଭୟ ଭାଇଙ୍କର ବଡ଼ ବଡ଼ ସହରରେ ଚମତ୍କାର ଚାକିରି ଲାଗିଯାଇଥିଲା। ଏସି କୋଠରୀ, ଗାଡ଼ି, ପ୍ରତି ମାସରେ ଆକାଉଣ୍ଟକୁ ଆସୁଥିବା ମୋଟା ଦରମା ଜୀବନରେ ସବୁକିଛି ସେଟ୍‌ ଥିଲା।

କିନ୍ତୁ ଯେତେବେଳେ ଏହି ଦୁଇ ଭାଇ ଦିୱାଲୀ ଛୁଟିରେ ଗାଁକୁ ଆସୁଥିଲେ, ସେତେବେଳେ ସେମାନଙ୍କର ସେଠାରୁ ଫେରିବାକୁ ମନ ହେଉ ନଥିଲା। ସାନ ଭାଇ ଅଜିଙ୍କ୍ୟ ଦିନେ ହଠାତ୍‌ ଏକ ବଡ଼ ନିଷ୍ପତ୍ତି ନେଲେ”ମୁଁ ଏହି ଚାକିରି କରିବି ନାହିଁ, ମୁଁ ଗାଁକୁ ଯାଇ ଚାଷବାସ କରିବି।” ତା’ର ଏକ ବର୍ଷ ପରେ ବଡ଼ ଭାଇ ସତ୍ୟଜିତ୍‌ ମଧ୍ୟ ଇସ୍ତଫା ଦେଇଦେଲେ। ଉଭୟ ଭାଇ ଗାଁକୁ ଫେରିଆସିଲେ।

ଗାଁରେ ହାହାକାର ପଡ଼ିଗଲା। ଲୋକମାନେ କହିବାକୁ ଲାଗିଲେ, “ପାଠ ପଢ଼ି ପଢ଼ି ମୁଣ୍ଡ ଖରାପ ହୋଇଯାଇଛି। ଏତେ ବଡ଼ ଚାକିରି ଛାଡ଼ି ମଇଁଷି ଚରାଇବାକୁ ଚାଲି ଆସିଛନ୍ତି।” ମାତାପିତା ମଧ୍ୟ ଚିନ୍ତାରେ ଥିଲେ ଯେ ପୁଅମାନେ ଜୀବନକୁ ବାଜି ଲଗାଇ ଦେଇଛନ୍ତି।

ଉଭୟ ଭାଇ ଦେଖିଲେ ଯେ ଜମିରେ ବିଷ (ରାସାୟନିକ ଏବଂ କୀଟନାଶକ) ମିଶାଯାଉଛି, ଯାହାଫଳରେ ଜମିର ଉର୍ବରତା କମିଯାଉଛି। ସେମାନେ ଦୃଢ଼ ପ୍ରତିଜ୍ଞା କଲେ ଯେ ସେମାନେ କେବଳ ଜୈବିକ (Organic) ଚାଷ କରିବେ। ସେମାନେ ଦେଶୀ ଗାଈ ଆଣିଲେ, ଗୋବର ଏବଂ ଗୋମୂତ୍ରରୁ ସାର ପ୍ରସ୍ତୁତ କଲେ। ଦିନରାତି ମାଟିକୁ ଭଲ ପାଇଲେ, ଗୋବର ଉଠାଇଲେ। ଏସି ଅଫିସରେ ସେମାନଙ୍କୁ ଯେଉଁ ଖୁସି ମିଳି ନଥିଲା, ସେହି ଖୁସି ଏହି ଗୋବର-ମାଟିରେ ମିଳୁଥିଲା।

ତିନି ବର୍ଷର ହାଡ଼ଭଙ୍ଗା ପରିଶ୍ରମ ପରେ ଅମୃତଭଣ୍ଡାର ପ୍ରଥମ ଫସଲ ପ୍ରସ୍ତୁତ କଲେ। ଫଳଗୁଡ଼ିକ ବହୁତ ମିଠା ଥିଲା, କିନ୍ତୁ କୌଣସି ରାସାୟନିକ ପଦାର୍ଥ ନଥିବାରୁ ସେଗୁଡ଼ିକ ଉପରେ କିଛି ଦାଗ ଥିଲା। ଉଭୟ ଭାଇ ବଡ଼ ଆଗ୍ରହର ସହ ଏକ ପୂର୍ଣ୍ଣ ଟ୍ରକ ଭର୍ତ୍ତି କରି ସକାଳ ୪ଟା ସମୟରେ ମଣ୍ଡିରେ ପହଞ୍ଚିଲେ।

ସେଠାରେ ଯାହା ଘଟିଲା, ତାହା ସେମାନଙ୍କ ହୋସ ଉଡ଼ାଇ ଦେଲା। ବେପାରୀ କେବଳ ୪ ଟଙ୍କା କିଲୋରେ ନେଲା। ସତ୍ୟଜିତ୍‌ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ବଢ଼ିଆ, ବିଷହୀନ ଫଳ, ଏହି ଦାମ କାହିଁକି?” ବେପାରୀ ଜଣକ କହିଲେ, “ଗ୍ରାହକ ପ୍ରଥମେ ଆଖିରେ ଖାଏ, ତା’ପରେ ଜିଭରେ। ତୁମ ଫଳ ଦେଖିବାକୁ ଭଲ ନୁହେଁ, ଦାମ ଏତିକି ହିଁ ମିଳିବ। ଟ୍ରକର ଫସଲ ବିକ୍ରି କରି ହାତକୁ ଆସିଥିଲା ମାତ୍ର ୧୦,୦୦୦ ଟଙ୍କା।

ଘରକୁ ଫେରିବାବେଳକୁ ବ୍ୟାଙ୍କ ବାଲାନ୍ସ ଖାଲି ହୋଇସାରିଥିଲା। ସହରରୁ ଅଣାଯାଇଥିବା ୮ ଲକ୍ଷ ଟଙ୍କା ସରିଯାଇଥିଲା। ବାପା ସ୍ପଷ୍ଟ ଭାବରେ କହିଦେଲେ, “ମୁଁ ଜୀବନସାରା ଚାଷ କରିଛି, ଏଥିରେ କୌଣସି ଇଜ୍ଜତ ନାହିଁ, କୌଣସି ଟଙ୍କା ନାହିଁ। ତୁମେମାନେ ଏକ ବଡ଼ ଭୁଲ କରୁଛ।”

ଗାଁର ଲୋକମାନେ ମଧ୍ୟ ପଛରେ ନଥିଲେ। କଟାକ୍ଷ କରି କହିଲେ, “ବଡ଼ ବଡ଼ କଥା କହିବାକୁ ସହରରୁ ଆସିଥିଲେ। ରାସାୟନିକ ସାର ବନ୍ଦ କରି ଜୈବିକ ଚାଷ କରୁଥିଲେ। ଦେଖିଲ ତ, ଟ୍ରକ ବିକ୍ରି କରି କେବଳ ୧୦ ହଜାର ଆଣିଲେ। ଜମି ବିକିଦିଅ ଏବଂ ଚାକିରି କରିନିଅ।”

କିନ୍ତୁ ଏହି ଦୁଇ ଭାଇ ହାର ମାନିବାକୁ ସମ୍ପୂର୍ଣ୍ଣ ମନା କରିଦେଲେ। ସେମାନେ ଫିଲିପ କଟଲରଙ୍କ ମାର୍କେଟିଂ ନିୟମକୁ ମନେ ପକାଇଲେ ଏବଂ ବୁଝିଗଲେ ଯେ ସେମାନଙ୍କୁ ଏକ ନାମ, ଏକ ବ୍ରାଣ୍ଡର ଆବଶ୍ୟକତା ଅଛି। ଏହି ଆକାଂକ୍ଷାରୁ ଜନ୍ମ ନେଲା ‘ଟୁ ବ୍ରଦର୍ସ ଅର୍ଗାନିକ ଫାର୍ମସ’।

ସେମାନେ ବୁଝିଗଲେ ଯେ କେବଳ ଫଳ-ପନିପରିବା ବିକ୍ରି କରିଲେ କାମ ଚଳିବ ନାହିଁ, କାରଣ ସେମାନଙ୍କ ପାଖରେ କୋଲ୍ଡ ଷ୍ଟୋରେଜ ପାଇଁ ଟଙ୍କା ନଥିଲା। ସେମାନେ ସେମାନଙ୍କ ମାଆଙ୍କୁ ପଚାରିଲେ ଯେ ଗାଁର ଏପରି କେଉଁ ଜିନିଷଗୁଡ଼ିକ ଅଛି ଯାହା ବର୍ଷସାରା ଖରାପ ହୁଏ ନାହିଁ? ମାଆ ରାସ୍ତା ଦେଖାଇଲେପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ‘ଦେଶୀ ଗାଈର ଘିଅ’ ଏବଂ ‘ଆଖୁ ଗୁଡ଼’।

ପ୍ରାରମ୍ଭରେ ମୁମ୍ବାଇର ଫ୍ଲାଏଓଭର ତଳେ ଫଳ ବିକ୍ରି କଲେ, ତା’ପରେ ମୁମ୍ବାଇର ଏକ ପ୍ରଦର୍ଶନୀରେ ଦୁଇଟି ଟେବୁଲ ଲଗାଇ ନିଜର ଘିଅ ଏବଂ ଗୁଡ଼ ବିକ୍ରି କରିବା ଆରମ୍ଭ କଲେ। ଲୋକମାନେ ଯେତେବେଳେ ସେମାନଙ୍କର କାହାଣୀ ଏବଂ ଶୁଦ୍ଧତା ସମ୍ପର୍କରେ ଜାଣିବାକୁ ପାଇଲେ, ସେତେବେଳେ ଧାଡ଼ି ଲାଗିଗଲା। ସେମାନେ ପ୍ରତି ଶନିବାର-ରବିବାର ୩୫୦ କିଲୋମିଟର ଗାଡ଼ି ଚଳାଇ ମୁମ୍ବାଇ ଆସୁଥିଲେ, ଦିନସାରା ଖରାରେ ଠିଆ ହୋଇ ଜିନିଷ ବିକ୍ରି କରୁଥିଲେ ଏବଂ ତା’ପରେ ରାତିରେ ଗାଁକୁ ଫେରି କ୍ଷେତରେ କାମ କରୁଥିଲେ। ଧୀରେ ଧୀରେ ସେମାନେ ନିଜର ୱେବସାଇଟ ଆରମ୍ଭ କଲେ। ତା’ପରେ ଯାହା ଘଟିଲା, ତାହା କୌଣସି ଚମତ୍କାରଠାରୁ କମ ନଥିଲା। ବାଙ୍ଗାଲୋର, ଦିଲ୍ଲୀ, ଲକ୍ଷ୍ନୌ ସମଗ୍ର ଦେଶରୁ ଅର୍ଡରର ବନ୍ୟା ଛୁଟିଗଲା।

ଯେଉଁ ବ୍ରାଣ୍ଡର ଶୁଭାରମ୍ଭ ଘରର ଚୁଲିରୁ ହୋଇଥିଲା, ଆଜି ଗାଁରେ ୬୦,୦୦୦ ବର୍ଗଫୁଟର ଏକ ବଡ଼ କାରଖାନା ଠିଆ ହୋଇଛି। ଯେଉଁ ଲୋକମାନେ କେବଳ କଟାକ୍ଷ କରୁଥିଲେ, ଆଜି ସେହିମାନଙ୍କୁ ଏହି ଦୁଇ ଭାଇ ରୋଜଗାର ଦେଉଛନ୍ତି। ପୁଣେ ଏବଂ ମୁମ୍ବାଇରେ ସେମାନଙ୍କର ଅଫିସ ରହିଛି।

 

Odisha’s No.1 Odia Daily