ଦୁଇ ଭାଜପା ନେତାଙ୍କୁ ହତ୍ୟା ଘଟଣା: ସମୀକ୍ଷା କଲେ ଡିଆଇଜି

ନିଶ୍ଚିନ୍ତକୋଇଲି,୩।୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ କୁରୁଜଙ୍ଗା ଗ୍ରାମର ଦୁଇ ଭାଜପା ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସେ ହେଲେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ। ଏ ନେଇ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ୫/୨୧ରେ ପୋଲିସ ମାମଲା ରୁଜୁ କରି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ମେଡିକାଲକୁ ପଠାଇଥିଲା।
ରବିବାର ପୋଲିସ ଡିଆଇଜି ଆଶିଷ କୁମାର ସିଂହ, କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର, ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଜେନା ମାହାଙ୍ଗା ଥାନାରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୁଳମଣିଙ୍କ ପୁଅ ରମାକାନ୍ତ ତାଙ୍କ ବାପା ଓ ସମ୍ପର୍କୀୟ ଜେଜେକୁ ରାଜନୈତିକ ଆକ୍ରୋଶ ପାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଭାଜପା କଟକ ଜିଲା ସଭାପତି ପ୍ରକାଶ ବେହେରା ଏପରି ହୀନ ରାଜନୀତିକୁ ଭର୍ତ୍ସନା କରିବା ସହ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ଏହାକୁ ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।