ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଦୁଇ ଗୁରୁତର

ବାଣପୁର,୨ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଆଜି ମଧ୍ୟାହ୍ନରେ ବାଣପୁର ପ୍ରତାପ ଗ୍ରାମର ଦୁଇ ଯୁବକ ଏକ ବାଇକ୍‌ ଯୋଗେ ମାଣିକପୁର ଗ୍ରାମରୁ ପ୍ରତାପ ଅଭିମୁଖେ ଯାଉଥିବା ବେଳେ ଉକ୍ତ ପ୍ରତାପ ଗ୍ରାମର କୈଳାସ ସ୍ବାଇଁଙ୍କ ପୁଅ କାହ୍ନୁଚରଣ ସ୍ବାଇଁ (୨୮) ଏକ ହିରୋହୋଣ୍ଡା ବାଇକ୍‌ରେ ବାଣପୁର ଅଭିମୁଖେ ଆସୁଥିଲେ। ଠିକ୍‌ ସେହି ସମୟରେ ଦୁଇ ଯୁବକ ମାଣିକପୁର ଗ୍ରାମରୁ ପ୍ରତାପ ଗ୍ରାମକୁ ଯାଉଥିବା ବେଳେ ମାଣିକପୁର ସ୍କୁଲ୍‌ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ କାହ୍ନୁଚରଣ ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଯୁବକ ହେଲେ କାଳିଆ ବେହେରାଙ୍କ ପୁଅ ଶିବୁନ (୧୭) ଏବଂ ଉଲ୍ଲାସ ବାରିକଙ୍କ ପୁଅ ନିବାସ(୨୧)। ଉଭୟ ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନେଶ୍ୱର ଏମ୍ସ ମେଡିକାଲ ସ୍ଥାନାନ୍ତର କରିଛନ୍ତି। ଉକ୍ତ ଘଟଣାର ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।