ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜର ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀଙ୍କୁ ଗୁରୁବାର ବାଇକରେ ଆସିଥିବା ୨ଜଣ ଯୁବକ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଛାତ୍ରୀ ଜଣଙ୍କ ହେଲେ ପାଟପୁର ଥାନା ହରିଣା ଗ୍ରାମର ଶୁଭସ୍ମିତା ମହାଙ୍କୁଡ(୧୭)। ରାସ୍ତା ଉପରେ ଟଳି ପଡ଼ିଥିବା ଛାତ୍ରୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପୋଡ଼ାମାରି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ଚେତା ନ ଫେରିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି। ପ୍ରତିଦିନ ଭଳି ଛାତ୍ରୀଜଣଙ୍କ କଲେଜକୁ ଯାଉଥିବାବେଳେ କଲେଜ ଠାରୁ ପ୍ରାୟ ୫୦ ମିଟର ଦୂରରେ ୨ ଜଣ ଯୁବକ ଏକ ନାଲିରଙ୍ଗର ବାଇକରେ ଆସି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଜଣେ ଯୁବକଙ୍କ ସହ ତାଙ୍କ ବଚ୍ସା ହୋଇଥିଲା। ପରେ ଉଭୟେ ତାଙ୍କୁ ଟଣାଓଟରା କରି ଅପହରଣ ପାଇଁ ଉଦ୍ୟମ କରିଥିଲେ। ଛାତ୍ରୀଜଣଙ୍କ ଦୌଡ଼ି ଯିବାପାଇଁ ଚେଷ୍ଟା କରିବାରୁ ଉଭୟେ ତାଙ୍କୁ ଅଟକାଇ ଚାପୁଡ଼ା ମାରିଥିଲେ। ପରେ ଜଣେ ଯୁବକ ତାଙ୍କୁ ଠେଲି ଦେବାରୁ ଛାତ୍ରୀଜଣଙ୍କ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ। ସୂଚନା ପାଇ କଲେଜର ବହୁସଂଖ୍ୟକ ସହପାଠୀ,ଅଧ୍ୟାପକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ଟିମ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଛନ୍ତି। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

