ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ/ଚକାପାଦ,୨୮ା୩: କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହକୁ ପୋତି ଦିଆଯାଇଛି। ମୃତକ ହେଲେ ଜୁଇଖୋଲ ଗ୍ରାମର ରଇବାରିଆ କହଁର(୬୫)। ସୋମବାର ଏହି ଘଟଣା ସାମ୍ନାକୁ ଆସିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୪ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ଗିରଫ ୨ ଅଭିଯୁକ୍ତ ଟଣଙ୍ଗପଦର ଗ୍ରାମର ଶିବ ବେହେରା ଓ ଜୁଇଖୋଲର ଗୁଡ୍ରୁ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୁଚନା ଅନୁସାରେ, ରଇବାରିଆ ଗାଁରେ ଝଡ଼ାଫୁଙ୍କା କରନ୍ତି। ପ୍ରାୟ ୧୦ରୁ ୧୨ବର୍ଷ ତଳେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସେ ହାଣି ଦେଇଥିଲେ। ଏହି ଘଟଣାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହୁଥିଲା । ରଇବାରିଆଙ୍କ ପରିବାର ଗୋଟିଏ ପଟେ ଓ ଗାଁ ଲୋକେ ଗୋଟିଏ ପଟରେ ଥିଲେ। ଗତ ୨୨ ତାରିଖରେ ରଇବାରିଆ ଗ୍ରାମରୁ ସାଇକେଲରେ କାଠ ଧରି ପସରା ଗ୍ରାମକୁ ବିକ୍ରି କରିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଦୁଇ କି.ମି. ଦୂର ଟଣକିପଦର ଗ୍ରାମ ନିକଟ ଜଙ୍ଗଲରେ ପୂର୍ବରୁ ଛପି ରହିଥିବା ଶିବ ଓ ଗୁଡ୍ରୁ ପଛପଟୁ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରଇବାରିଆଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତଦ୍ୱୟ ମୃତଦେହକୁ ୨୦୦ ମିଟର ଦୂରକୁ ନେଇ ଗାତ ଖୋଳି ପୋତି ଦେଇଥିଲେ। ସାଇକେଲକୁ କିଛି ଦୂରରେ ଥିବା ଝିକ ଗୁମ୍ଫାରେ ଫୋପାଡି ଚାଲି ଯାଇଥିଲେ। ସେପଟେ ରାଇବାରିଆ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। କୌଣସିଠାରେ ତାଙ୍କର ଖୋଜ ଖବର ନ ମିଳବାରୁ ଶେଷରେ ନିରାଶ ହୋଇ ପୁଅ ମୁନା ଗତ ୨୬ ତାରିଖରେ ଏ ନେଇ ପସରା ଫାଣ୍ଡିରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଚକାପାଦ ଥାନା ଅଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଏକ ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ଆଣି ପଚରାଉଚୁରା କରିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା। ରଇବାରିଆଙ୍କୁ ଗୁଡ୍ରୁ ଏବଂ ଶିବ ମାରିଥିବା ସ୍ବୀକାର କରିଥିଲେ । ଏ ନେଇ ଥାନାରେ ନଂ.୧୫/୨୨ରେ ମାମଲା ରୁଜୁ ହୋଇଛି।